FeaturedLatestNews

ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ପେଟ୍ରୋଲ ମନା: ସ୍ପଷ୍ଟୀକରଣ ଲୋଡିଲେ ହାଇକୋର୍ଟ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ପରିବହନ ବିଭାଗ ପ୍ରକାଶିତ ଏକ ବିଜ୍ଞପ୍ତି ଅନୁସାରେ, ଯାନବାହନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପଲ୍ୟୁସନ ସାର୍ଟିଫିକେଟ୍) ନଥିଲେ ତାକୁ ଇନ୍ଧନ ଯୋଗାଣ କରାଯିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଏହି ପ୍ରମାଣପତ୍ର ହାସଲ ପାଇଁ ସମସ୍ତ ପୁରୁଣା ଜରିମାନା ଆଦାୟ କରିବାକୁ ମଧ୍ୟ ବାଧ୍ୟ କରାଯିବ ବୋଲି ଉଲ୍ଲେଖ ରହିଛି ।

ଏହି ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଭୁବନେଶ୍ୱର ନିବାସୀ ସ୍ନିଗ୍ଧା ପାତ୍ର ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଛନ୍ତି । ତାଙ୍କ ଦାୟର ପିଟିସନରେ ଦର୍ଶାଯାଇଛି ଯେ, ପ୍ରଦୂଷଣ ପ୍ରମାଣପତ୍ର ନଥିବା ଯାନବାହନ ଚାଳକଙ୍କୁ ଆଇନ ଅନୁସାରେ ଜରିମାନା କରାଯାଇପାରେ, କିନ୍ତୁ ତାଙ୍କୁ ଇନ୍ଧନ ଯୋଗାଣ ବନ୍ଦ କରିବା ଆଇନସଙ୍ଗତ ନୁହେଁ । ପୁରୁଣା ଜରିମାନା ଭରଣା କରିବାକୁ ବାଧ୍ୟ କରି ପ୍ରମାଣପତ୍ର ଦେବା ପଦ୍ଧତି ମଧ୍ୟ କେନ୍ଦ୍ରୀୟ କିମ୍ବା ରାଜ୍ୟ ପରିବହନ ଆଇନରେ ନାହିଁ ବୋଲି ଆବେଦନକାରୀଙ୍କ ତରଫରୁ ଅଦାଲତକୁ ଜଣାଯାଇଛି ।

ଆଜି ଏହି ମାମଲାର ପ୍ରାରମ୍ଭିକ ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାର ଏବଂ ପରିବହନ ଆୟୁକ୍ତଙ୍କୁ ନୋଟିସ୍ ଜାରି କରିଛନ୍ତି । ଅଦାଲତ ରାଜ୍ୟ ପରିବହନ କମିଶନରଙ୍କଠାରୁ ଏହି ବିବାଦିତ ନିୟମ ସମ୍ବନ୍ଧରେ ସ୍ପଷ୍ଟୀକରଣ ମାଗିଛନ୍ତି । ପରିବହନ ଆୟୁକ୍ତଙ୍କୁ ଆସନ୍ତା ୨ ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ହାଇକୋର୍ଟ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ପୁରୁଣା ଜରିମାନା ଭରଣା ନକଲେ ପ୍ରଦୂଷଣ ସାର୍ଟିଫିକେଟ୍ ମିଳିବ ନାହିଁ ବୋଲି ଯେଉଁ ନିର୍ଦ୍ଦେଶନାମା ଜାରି ହୋଇଛି, ତାହା ଉପରୁ ଦ୍ୱନ୍ଦ୍ୱ ହଟାଇବାକୁ ହେବ । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨ ସପ୍ତାହ ପରେ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।