ବ୍ରଜନାଥ ରଥଙ୍କ ୯୧ତମ ଜୟନ୍ତୀ ଓ ଗ୍ରନ୍ଥାଗାର ‘ବିଶ୍ୱତାରା’ର ବାର୍ଷିକ ଉତ୍ସବ ପାଳିତ
ବାଲେଶ୍ବର (ସଂକେତ ଟିଭି): କବି ଡ଼ଃ ବ୍ରଜନାଥ ରଥଙ୍କ ୯୧ତମ ଜୟନ୍ତୀ ସମାରୋହ ଓ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଓଡିଶାର ଅନନ୍ୟ ଗବେଷଣା ଗ୍ରନ୍ଥାଗାର ‘ବିଶ୍ୱତାରା’ର ଉନବିଂଶ ବାର୍ଷିକ ଉତ୍ସବ କବିଙ୍କର ବାସସ୍ଥାନ ବ୍ରଜଭୁମିରେ ପାଳିତ ହୋଇଯାଇଛି।
ପୂର୍ବାହ୍ନ ୧୦ ଘଟିକାରେ କବି ଡ଼ କାଳିକିଙ୍କରଙ୍କ ସଂଯୋଜନାରେ କବି ବ୍ରଜନାଥ ରଥଙ୍କର କାଳଜୟୀ କବିତାରୁ କିଛି କବିତା ବାଲେଶ୍ଵରର କବିମାନେ ଆବୃତ୍ତି କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦିନ ୧୧ ଘଟିକାରେ କବି ବ୍ରଜନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟର ମୁଖ୍ୟ ଟ୍ରଷ୍ଟି ପୁଷ୍ପଲତା ଦେବୀଙ୍କ ତରଫରୁ ବିଶିଷ୍ଟ ଗବେଷିକା ଡ଼ ନିବେଦିତା ମହାନ୍ତିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଗବେଷକ ଓ ଲେଖକ ଶ୍ରୀକାନ୍ତ ଚରଣ ପାତ୍ର ଯୋଗ ଦେଇଥିଲେ।
ପ୍ରାରମ୍ଭରେ ମନସ୍ୱିନୀ ଦେବୀଙ୍କ ରଚନାରୁ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ବହ୍ନିମାନ ରଥ। ଇଂ ହୃଷିକେଶ ସାହୁ ମଞ୍ଚ ଆହ୍ୱାନ କରିଥିବାବେଳେ କବି ଡ଼ କାଳିକିଙ୍କର ଅତିଥୀ ପରିଚୟ ଓ ସ୍ୱାଗତ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ତ୍ରୈମାସିକ ସାହିତ୍ୟ ପତ୍ରିକା ‘ସ୍ୱପ୍ନଦୀପ’ର ତୃତୀୟ ବର୍ଷର ଦ୍ଵିତୀୟ ସଂଖ୍ୟା ସହ କବି ତଥା ଲେଖକ ଡ଼ କାଳିକିଙ୍କରଙ୍କର ସପ୍ତମ ଗଳ୍ପ ସଂକଳନ “ବୋଝ ବାହାକମାନେ” ଓ ଚତୁର୍ଥ ଶିଶୁ କବିତା ସଂକଳନ “ମମତାରେ ବନ୍ଧା ସାରା ଦୁନିଆ” କୁ ଅତିଥୀମାନେ ଉନ୍ମୋଚନ କରିଥିଲେ।
ଏ ବର୍ଷର ପ୍ରତିଷ୍ଠିତ କବି ବ୍ରଜନାଥ ରଥ ସାରସ୍ୱତ ସମ୍ମାନ ବିଶିଷ୍ଟ ଲେଖକ ଡ଼ ପ୍ରଫୁଲ୍ଲ କୁମାର ତ୍ରିପାଠୀ, କବି ବ୍ରଜନାଥ ରଥ ସ୍ମୃତି ସମ୍ମାନ ବିଶିଷ୍ଟ କବି ଡ଼ ବାସୁଦେବ ସୁନାନୀ, କବି ବ୍ରଜନାଥ ରଥ ସ୍ମୃତି ସମ୍ବର୍ଦ୍ଧନା ବିଶିଷ୍ଟ ବଙ୍ଗଳା ଲେଖକ ଓ ଅନୁବାଦକ ଡ଼ କାଳୀପଦ ପ୍ରଧାନ ଓ କବି ବ୍ରଜନାଥ ରଥ ସମ୍ବର୍ଦ୍ଧନା କବିଙ୍କର ବିଶ୍ୱଶ୍ରୀ ପ୍ରେସର ଦୀର୍ଘ ବର୍ଷର ସହଯୋଗୀ ଶ୍ରୀ ଲକ୍ଷ୍ମଣ ଚନ୍ଦ୍ର ବର୍ଦ୍ଧନଙ୍କୁ ମୁଖ୍ୟ ଅତିଥି ଡ଼ ଶ୍ରୀକାନ୍ତ ଚରଣ ପାତ୍ର, ସଭାପତି ଡ଼ ନିବେଦିତା ମହାନ୍ତି ଓ ମୁଖ୍ୟ ଟ୍ରଷ୍ଟି ପୁଷ୍ପଲତା ଦେବୀ ପ୍ରଦାନ କରିଥିଲେ। ଶ୍ରୀମତୀ ଅନିତା ରଥ, ଶ୍ରୀମତୀ ଅନୁସୂୟା ରଥ, ଡ଼ ମୃତ୍ୟୁଞ୍ଜୟ ମିଶ୍ର ଓ ମନସ୍ୱିନୀ ଦେବୀ ମାନପତ୍ର ପଠନ କରିଥିଲେ। ଏହି ସମ୍ମାନଜନକ ସାରସ୍ୱତ ସ୍ୱୀକୃତି ଗ୍ରହଣ କରିଥିବା ପ୍ରତିଭାଙ୍କୁ ମାନପତ୍ର ସହ ସମ୍ମାନ ରାଶି ତଥା ଅଙ୍ଗବସ୍ତ୍ର ଆଦି ପ୍ରଦାନ କରାଯାଇଥିଲା।
ସାରସ୍ୱତ ସମ୍ମାନ ଓ ସମ୍ବର୍ଦ୍ଧନାର ଉତ୍ତରରେ ଡ଼ ପ୍ରଫୁଲ୍ଲ କୁମାର ତ୍ରିପାଠୀ କହିଲେ ଯେ କବି ବ୍ରଜନାଥ ରଥ ଓଡ଼ିଆ ସାହିତ୍ୟର ଜଣେ କାଳଜୟୀ ସ୍ରଷ୍ଟା। ଡ଼ ବାସୁଦେବ ସୁନାନୀ, ଡ଼ କାଳୀପଦ ପ୍ରଧାନ ଓ ଶ୍ରୀ ଲକ୍ଷ୍ମଣ ଚନ୍ଦ୍ର ବର୍ଦ୍ଧନ କହିଲେ ଯେ ବ୍ରଜବାବୁଙ୍କ ସାହିତ୍ୟ ହେଉଛି ସତ୍ୟ, ସ୍ୱାଭିମାନ ଓ ପ୍ରେରଣାର ସାହିତ୍ୟ। ମୁଖ୍ୟ ଅତିଥୀ ଡ଼ ଶ୍ରୀକାନ୍ତ ଚରଣ ପାତ୍ର କହିଲେ ଯେ କବି ବ୍ରଜନାଥ ରଥ ଥିଲେ ମୋର ପଥ ପ୍ରଦର୍ଶକ ଓ ପ୍ରେରଣାଦାତା। ସଭାପତି ଡ଼ ନିବେଦିତା ମହାନ୍ତି କହିଲେ ଯେ ମୋର ପିତୃପୁରୁଷଙ୍କର ଭୂମି ଫକୀର ମୋହନଙ୍କର ଶାନ୍ତିକାନନ ପରି କବି ବ୍ରଜନାଥ ରଥଙ୍କର ଏ ବ୍ରଜଭୂମି ମୋ ପାଇଁ ପୁଣ୍ୟଭୂମି। ବିଶ୍ୱତାରା ଓଡ଼ିଆ ଗବେଷଣା ଗ୍ରନ୍ଥାଗାର ପ୍ରତିଷ୍ଠା କରି କବି ଓଡ଼ିଆ ସାହିତ୍ୟ ଜଗତର ଏକ ଦୀଗବାରେଣି ସୃଷ୍ଟି କରି ଯାଇଛନ୍ତି।
ଶେଷରେ କବିଙ୍କର କନିଷ୍ଠପୁତ୍ର ବ୍ରହ୍ମନାଥ ରଥ ଧନ୍ୟବାଦ ଅର୍ପଣ କରିଥିଲେ।
