FeaturedLatestNews

ବିଧାନସଭା ଓ ଲୋକସେବା ଭବନକୁ ନୂଆ ରୂପ ଦେବାକୁ ୩,୬୨୩ କୋଟିର ପ୍ରକଳ୍ପ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ବିଧାନସଭା ଆସନ ସଂଖ୍ୟା ଆଗକୁ ବଢିବାର ସମ୍ଭାବନା ରହିଛି । ସୀମା ନିର୍ଦ୍ଧାରଣ ପରେ ବିଧାନସଭାରେ ଆଉ ୫୦ଟି ସିଟ୍ ବଢ଼ିପାରେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ଏହାସହ ରାଜ୍ୟ ସରକାର ୭୦ ବର୍ଷ ପରେ ଲୋକସେବା ଭବନ ଓ ବିଧାନସଭାକୁ ଏକ ନୂଆ ରୂପ ଦେବାକୁ ଯାଉଛନ୍ତି । ପୁରାତନ ଲୋକସେବା ଭବନର ସୁରକ୍ଷା ସମସ୍ୟା ଓ ସ୍ଥାନାଭାବ ଦୂର କରିବା ପାଇଁ ଏକ ନୂତନ ଓ ଅତ୍ୟାଧୁନିକ ପ୍ରଶାସନିକ କମ୍ପ୍ଲେକ୍ସ ନିର୍ମାଣ କରାଯିବ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଏହି ମହାପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ସରକାର ୩ ହଜାର ୬୨୩ କୋଟି ଟଙ୍କା ଖର୍ଚ୍ଚ କରିବେ ଏବଂ ୭୧.୧୩ ଏକର ଜମିରେ ଏହାର ନିର୍ମାଣ କାର୍ଯ୍ୟ ହେବ । ବର୍ତ୍ତମାନର ଲୋକସେବା ଭବନ ୭୦ ବର୍ଷରୁ ଅଧିକ ପୁରୁଣା ହୋଇଯାଇଥିବାରୁ ଏହାର ଅନେକ ଅଂଶ ଅସୁରକ୍ଷିତ ଅବସ୍ଥାରେ ରହିଛି । ବିଭିନ୍ନ ବିଭାଗଗୁଡ଼ିକ ବିଭିନ୍ନ ସ୍ଥାନରେ ଛିନ୍ନଛିତ୍ର ହୋଇଥିବାରୁ କାର୍ଯ୍ୟକାରିତାରେ ଅସୁବିଧା ହେଉଛି । ସରକାରୀ ବିଭାଗ ଓ କର୍ମଚାରୀ ସଂଖ୍ୟା ବୃଦ୍ଧି ସହିତ ଏକ ବୃହତ୍ତର ଓ ନବୀନ କାର୍ଯ୍ୟାଳୟ କମ୍ପ୍ଲେକ୍ସର ଆବଶ୍ୟକତା ଅନୁଭୂତ ହେଉଛି ।

ଏହି ନୂତନ ପ୍ରକଳ୍ପରେ ଲୋକସେବା ଭବନ ଓ ବିଧାନସଭା ଗୋଟିଏ ସ୍ଥାନରେ ରହିବ ଏବଂ ଏଥିରେ ଏକ ଭୂତଳ ପାର୍କିଂ ବ୍ୟବସ୍ଥା ମଧ୍ୟ ରହିବ । ନୂଆ ବିଧାନସଭା ହଲରେ ୩୦୦ ଜଣ ସଦସ୍ୟ ବସିପାରିବା ଭଳି ବ୍ୟବସ୍ଥା ରହିବ । ଲୋକସେବା ଭବନକୁ ଏକ ଅତ୍ୟାଧୁନିକ ଭବନ ଭାବରେ ଗଢ଼ିବା ମୁଖ୍ୟମନ୍ତ୍ରୀଙ୍କ ଏକ ବହୁକାଳିକ ପ୍ରତିଶ୍ରୁତି ଥିଲା । ଆଜି ଲୋକସେବା ଭବନ କନଫରେନ୍ସ ହଲରେ ଜାତୀୟ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅବସରରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟ ସମ୍ପନ୍ନ ହୋଇଛି ।