ଶ୍ରୀଜଗନ୍ନାଥ ମନ୍ଦିର ଉପରେ ବୋମାରେ ଉଡାଇ ଦେବା ଧମକ, ସୁରକ୍ଷା ବ୍ୟବସ୍ଥା କଡାକଡି
ପୁରୀ (ସଂକେତ ଟିଭି): ଶ୍ରୀଜଗନ୍ନାଥ ମନ୍ଦିର ଉପରେ ବୋମା ଆକ୍ରମଣର ଧମକ ଏବଂ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ୧୦ ଲକ୍ଷ ଟଙ୍କା ନଦେଲେ ଗୁଳି କରି ହତ୍ୟା ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବାକୁ ଧମକ ସମେତ ଧମକପୂର୍ଣ୍ଣ ପୋଷ୍ଟ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ପୁରୀ ପୋଲିସ ତୀବ୍ର ତଦନ୍ତ ଆରମ୍ଭ କରିଛି। ପୁରୀ ସିଟି ଡିଏସପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଯାଞ୍ଚ ଚାଲିଛି। ଧମକପୂର୍ଣ୍ଣ ପୋଷ୍ଟ ଆସିଥିବା ସୋସିଆଲ ମିଡିଆ ଆକାଉଣ୍ଟର ୟୁଆରଏଲ୍ ଲିଙ୍କକୁ ଯାଞ୍ଚ କରାଯାଉଛି। ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ଘଟଣା ସ୍ପଷ୍ଟ ହେବ ବୋଲି ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।
ଏସପି ପ୍ରତୀକ ସିଂ କହିଛନ୍ତି, “ଶ୍ରୀମନ୍ଦିର ଉପରେ ବୋମା ପକାଇବା ନେଇ ସୋସିଆଲ ମିଡିଆରେ ଧମକ ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଶ୍ରୀମନ୍ଦିର ବାହାର ଓ ଭିତରେ ବମ୍ ସ୍କ୍ୱାଡ ତନ୍ନ ତନ୍ନ ଯାଞ୍ଚ କରୁଛି। ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀ ଏବଂ ସ୍ୱତନ୍ତ୍ର କମାଣ୍ଡୋ ଜଗନ୍ନାଥ ମନ୍ଦିର ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ପୁରୀ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି।” ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳିମାଡ଼ ପାଇଁ ଧମକ ଆସିଥିବାରୁ, ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି।
ଗତକାଲି (ଜାନୁଆରୀ ୨୦) ସାମାଜିକ ଗଣମାଧ୍ୟମ ଫେସବୁକରେ ‘ଜୁଲି ରାଣୀ ପଣ୍ଡା’ ନାମକ ଏକ ଆକାଉଣ୍ଟରୁ ଏଭଳି ଧମକପୂର୍ଣ୍ଣ ପୋଷ୍ଟ କରାଯାଇଥିଲା। ପୁରୀ ପୋଲିସ ତଦନ୍ତ ଚଳାଇଥିବା ବେଳେ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ପ୍ରତୀକ ସିଂ କହିଛନ୍ତି।
୧୦ ଲକ୍ଷ ଟଙ୍କା ଏବଂ ହତ୍ୟା ଧମକ ସଂପର୍କିତ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଦୁଇଦିନ ତଳେ ମୋ ମୋବାଇଲକୁ ଜଣେ ବ୍ୟକ୍ତି ମେସେଜ୍ ଯୋଗେ ୧୦ ଲକ୍ଷ ଟଙ୍କା ଦାବି କରିବା ସହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପାଇଁ ମେସେଜ ଆସିଥିଲା। ଏହା ଏକ ଫେକ୍ ମେସେଜ ଭାବି ଅଣଦେଖା କରିଥିଲି। ଗତକାଲି ସୋସିଆଲ ମିଡିଆରେ ପୁଣି ଜୀବନରୁ ମାରିଦେବାକୁ ତଥା ଗୁଳିମାଡ଼ କରିବାକୁ ଧମକ ଆସିଛି। ଏନେଇ ପୋଲିସକୁ ଅବଗତ କରାଇଛି।”
ସେ ଆହୁରି କହିଛନ୍ତି, “ପୁରୀ ଭଳି ଏକ ପର୍ଯ୍ୟଟନସ୍ଥଳୀରେ ଜଣେ ସାଂସଦଙ୍କ ସମେତ ଶ୍ରୀମନ୍ଦିର ଓ ବିଭିନ୍ନ ମାର୍କେଟ କମ୍ପ୍ଲେକ୍ସରେ ବୋମାମାଡ ଧମକ ପୁରୀକୁ ଆସୁଥିବା ସମସ୍ତ ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ଭୟଭୀତ କରାଇବ। ତେଣୁ ପୁରୀ ସମେତ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଉ।” ଶୁଭାଶିଷ ଖୁଣ୍ଟିଆ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋସିଆଲ ମିଡିଆ ‘X’ ମାଧ୍ୟମରେ ପୁରୀ ଶ୍ରୀମନ୍ଦିର ସୁରକ୍ଷା ଏବଂ ତାଙ୍କ ଜୀବନ ରକ୍ଷା ପାଇଁ ନିବେଦନ କରିଛନ୍ତି।
“ଶ୍ରୀମନ୍ଦିର ଭିତରେ ଖୁବଶୀଘ୍ର ବୋମା ପଡ଼ିବ”, “ପୁରୀ ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟିବ” ଏବଂ “ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳିମାଡ଼ ହେବ” ବୋଲି ଧମକ ଦେଉଥିବା ‘ଜୁଲି ରାଣୀ ପଣ୍ଡା’ କିଏ କିମ୍ବା ଏହି ଆକାଉଣ୍ଟ କାହାର, ତାହା ଏକ ଫେକ୍ ଆକାଉଣ୍ଟ କି ନା, ସେ ସମ୍ପର୍କରେ ପୁରୀ ପୋଲିସର ସାଇବର ଏକ୍ସପର୍ଟ ଟିମ୍ ତଦନ୍ତ କରୁଛି।
