ବଢିଲା ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା ୧୮୦୦ରୁ ବଦଳରେ ପାଇବେ ୨୫୦୦ ଟଙ୍କା
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀମାନଙ୍କ ପାଇଁ ଖୁସିର ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗ୍ରାମରକ୍ଷୀମାନଙ୍କ ପାଇଁ ପୂର୍ବରୁ ପ୍ରଚଳିତ ମାସିକ ଭତ୍ତା ବୃଦ୍ଧି କରିଛନ୍ତି। ଏଣିକି ସେମାନେ ପ୍ରତିମାସରେ ୧,୮୦୦ ଟଙ୍କା ବଦଳରେ ୨,୫୦୦ ଟଙ୍କା ପାଇବେ।
ଏଥି ସହିତ ଗ୍ରାମରକ୍ଷୀଙ୍କ କାର୍ଯ୍ୟଦକ୍ଷତା ଓ ତାଲିମକୁ ନିୟମିତ କରିବା ଲକ୍ଷ୍ୟରେ ଏକ ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି। ପ୍ରତି ସପ୍ତାହରେ ଥରେ ଗ୍ରାମରକ୍ଷୀମାନେ ସେମାନଙ୍କ କାର୍ଯ୍ୟାଳୟ ଥାନାକୁ ଯାଇ ହାଜରି ଦେବା ବାଧ୍ୟତାମୂଳକ କରାଯାଇଛି। ଏହି ବ୍ୟବସ୍ଥା ଯୋଗୁଁ ପୋଲିସ ପ୍ରଶାସନ ସହ ସେମାନଙ୍କର ସମନ୍ୱୟ ଓ ତାଲିମ ପ୍ରକ୍ରିୟା ସୁନିଶ୍ଚିତ ହେବ।
ଗ୍ରାମାଞ୍ଚଳରେ ଶାନ୍ତି-ଶୃଙ୍ଖଳା ରକ୍ଷା, ସ୍ଥାନୀୟ ସ୍ତରରେ ଅପରାଧ ଚିହ୍ନଟ ଓ ରୋକଥାମ କାର୍ଯ୍ୟରେ ଗ୍ରାମରକ୍ଷୀମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ରାଜ୍ୟ ସରକାର ମନେ କରୁଥିବାରୁ ଏହି ଉନ୍ନୟନମୂଳକ ପଦକ୍ଷେପ ନିଆଯାଇଛି। ଭତ୍ତା ବୃଦ୍ଧି ଓ ନିୟମିତ ହାଜରି ବ୍ୟବସ୍ଥା ଗ୍ରାମରକ୍ଷୀଙ୍କ ଦାୟିତ୍ୱ ଓ କାର୍ଯ୍ୟକ୍ଷମତାକୁ ଆହୁରି ବଳବତ୍ତର କରିବ ବୋଲି ଆଶା କରାଯାଉଛି।
