FeaturedLatestNews

କର୍ତ୍ତବ୍ୟପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ: ପରମ୍ପରା, ପ୍ରଗତି ଓ ଶକ୍ତିଶାଳୀ ନାରୀ ବାର୍ତ୍ତାର ପ୍ରଦର୍ଶନ

ନୂଆଦିଲ୍ଲୀ (ସଂକେତ ଟିଭି):କର୍ତ୍ତବ୍ୟପଥରେ ଆୟୋଜିତ ଗଣତନ୍ତ୍ର ଦିବସ ପରେଡ଼ରେ ଓଡ଼ିଶାର ପ୍ରଜ୍ଞାପନ ମେଢ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । “ପରମ୍ପରାରୁ ପ୍ରଗତି ଆତ୍ମନିର୍ଭର ଭାରତ” ଥିମ୍ ଉପରେ ଗଠିତ ଏହି ମେଢଟି ରାଜ୍ୟର ସଂସ୍କୃତିକ ଗୌରବ, ଅର୍ଥନୈତିକ ପ୍ରଗତି ଏବଂ ସାମାଜିକ ପରିବର୍ତ୍ତନର ଜୀବନ୍ତ ପ୍ରତିଛବି ପ୍ରଦର୍ଶନ କରିଥିଲା ।

କଳାକାର ଗଜେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ଦଳ ଏହି ୪୫ ଫୁଟ ଦୈର୍ଘ୍ୟ, ୧୪ ଫୁଟ ପ୍ରସ୍ଥ ଏବଂ ୧୬ ଫୁଟ ଉଚ୍ଚତା ବିଶିଷ୍ଟ ମେଢଟି ସୃଷ୍ଟି କରିଥିଲେ । ଏଥିରେ କୋରାପୁଟର ଉତ୍କୃଷ୍ଟ କଫି, ମହିଳା ସଶକ୍ତିକରଣର ପ୍ରତୀକ ସ୍ୱରୂପ ସେମି-କଣ୍ଡକ୍ଟର ବ୍ୟବସାୟରେ ଅଗ୍ରଣୀ ମହିଳାଙ୍କ ଛବି, ସିଲିକନ ଚିପ୍ ନିର୍ମାଣରେ ଓଡ଼ିଶାର ଅଂଶଦାନ, ତାରକସି ଏବଂ ପଟ୍ଟଚିତ୍ର ଭଳି ପାରମ୍ପାରିକ କଳାକୃତି ପ୍ରଦର୍ଶିତ ହୋଇଥିଲା । କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଡୋକରା ଶିଳ୍ପ ଏହାର ଆକର୍ଷଣକୁ ଅନ୍ୟ ମାନ୍ୟତା ଦେଇଥିଲା ।

ପରେଡ଼ ସମୟରେ କଳାକାରଙ୍କ ଦ୍ୱାରା ପ୍ରଦର୍ଶିତ ଚଇତି ଘୋଡ଼ା ନୃତ୍ୟ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏହି ଲୋକନୃତ୍ୟ ଉପଭୋଗ କରିଥିଲେ କର୍ତ୍ତବ୍ୟପଥରେ ଉପସ୍ଥିତ ପ୍ରାୟ ୧୦,୦୦୦ରୁ ଅଧିକ ଦର୍ଶକ ଏବଂ ଅତିଥି ।

ଏହି ବର୍ଷ ୨୬ ଜାନୁଆରି ଦେଶର ସମ୍ବିଧାନ କାର୍ଯ୍ୟକାରୀ ହେବାର ୭୪ ବର୍ଷ ପୂର୍ଣ୍ଣ ହେଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପତାକା ଉତ୍ତୋଳନ ପରେ ବନ୍ଦେ ମାତରମ୍ ଓ ଜୟ ହିନ୍ଦ୍ର ଧ୍ୱନିରେ କର୍ତ୍ତବ୍ୟପଥ ଗୁଞ୍ଜରିତ ହୋଇଉଠିଥିଲା । ଏହି ମହାନ ପର୍ବରେ ଦୁଇ ବିଦେଶୀ ଅତିଥି ସହ ବିଭିନ୍ନ ରାଜ୍ୟ ଏବଂ ମନ୍ତ୍ରଣାଳୟଗୁଡ଼ିକର ପ୍ରଜ୍ଞାପନ ମେଢ ମଧ୍ୟ ଶୋଭାପାଇଥିଲା, ଯେଉଁଥିରେ ଓଡ଼ିଶାର ମେଢଟି ଏକ ବିଶେଷ ସ୍ଥାନ ପାଇଥିଲା ।