ହାଇକୋର୍ଟଙ୍କ ଶୁଣାଣି ପରେ PUCC ନଥିଲେ ପେଟ୍ରୋଲ ମନା ନିୟମ ପ୍ରତ୍ୟାହାର
ଭୁବନେଶ୍ୱର(ସଂକେତ ଟିଭି): ଓଡ଼ିଶା ହାଇକୋର୍ଟରେ ଆଜି ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ବିନା ପେଟ୍ରୋଲ ବିକ୍ରି ନିଷେଧ ସମ୍ପର୍କିତ ମାମଲାର ଶୁଣାଣି ହୋଇଛି । ଏହି ଶୁଣାଣିରେ ରାଜ୍ୟ ସରକାର ପରିବହନ ବିଭାଗ ସତ୍ୟପାଠ ଜରିଆରେ ଜଣାଇଛନ୍ତି ଯେ, ଉକ୍ତ ବିବାଦୀୟ ନିର୍ଦ୍ଦେଶ ପ୍ରତ୍ୟାହୃତ କରାଯାଇଛି ।
ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି ବାହନର ପୁରୁଣା ଚାଲାଣ କିମ୍ବା ଜରିମାନା ବାକି ରହିଥାଏ, ତଥାପି ତାକୁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ମିଳିବ । କେବଳ ଜରିମାନା ଆଦାୟ କରିବା ଉଦ୍ଦେଶ୍ୟରେ ସରକାର ବାହନ ମାଲିକଙ୍କ ପ୍ରଦୂଷଣ ପ୍ରମାଣପତ୍ରକୁ ଅଟକାଇ ପାରିବେ ନାହିଁ କିମ୍ବା ଜରିମାନା ଭରିବାକୁ ବାଧ୍ୟ କରିପାରିବେ ନାହିଁ । ଏହାସହ ପେଟ୍ରୋଲ ପମ୍ପଗୁଡ଼ିକୁ ମଧ୍ୟ PUCC ନଥିବା ଗ୍ରାହକଙ୍କୁ ଇନ୍ଧନ ଦେବାକୁ ବାଧା ଦେବାକୁ ହେବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ମାମଲା ଉପରେ ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ‘ବାହନ’ ପୋର୍ଟାଲରେ ଥିବା ଏହି ସମ୍ପର୍କିତ ନିୟମର ସଂଶୋଧନ ଦେଖାଇବା ପାଇଁ ଆଉ ଏକ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ମିଳିବ ନାହିଁ ଏବଂ ଚାଲାଣ ନଭରିଲେ ପ୍ରଦୂଷଣ ସାର୍ଟିଫିକେଟ୍ ମିଳିବ ନାହିଁ ବୋଲି ସରକାରୀ ନିୟମ ଥିଲା, ଯାହା ବିରୋଧରେ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ରହିଥିଲା । ହାଇକୋର୍ଟଙ୍କ ଏହି ଟିପ୍ପଣୀ ପରେ ସରକାର ଏହି ନିୟମରୁ ୟୁ-ଟର୍ନ ନେଇଛନ୍ତି ।
