FeaturedLatestNews

କାଲି ଓଡ଼ିଶା ବନ୍ଦ ; କୃଷକ ସଂଘର ଡାକରାକୁ କଂଗ୍ରେସ-ସିପିଆଇର ସମର୍ଥନ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଧାନ କ୍ରୟ ପ୍ରକ୍ରିୟାର ବ୍ୟାପକ ଅବ୍ୟବସ୍ଥା, ଚାଷୀଙ୍କୁ ବିଲମ୍ବରେ ଟଙ୍କା ପ୍ରଦାନ ଏବଂ ମଣ୍ଡି ବ୍ୟବସ୍ଥାରେ ଦୁର୍ନୀତିର ପ୍ରଶ୍ନକୁ ନେଇ ନବନିର୍ମାଣ କୃଷକ ସଂଗଠନ ଆସନ୍ତା ଜାନୁଆରୀ ୨୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି। ଏହି ବନ୍ଦ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ରହିବ। ନବନିର୍ମାଣ ଯୁବଛାତ୍ର ସଂଗଠନ ମଧ୍ୟ ଏହି ବନ୍ଦରେ ସାମିଲ ହେବ।

ଏହି ବନ୍ଦକୁ ପ୍ରମୁଖ ରାଜନୈତିକ ଦଳ ଓଡ଼ିଶା କଂଗ୍ରେସ ପୂର୍ଣ ସମର୍ଥନ ଜଣାଇଛି। ଦଳର ରାଜ୍ୟ ସଭାପତି ସମସ୍ତ ଜିଲ୍ଲା ସଭାପତିଙ୍କୁ ବନ୍ଦକୁ ସମର୍ଥନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିପିଆଇ ମଧ୍ୟ ଏହି ବନ୍ଦ ଡାକରାକୁ ସମର୍ଥନ କରିଛି। ଅନ୍ୟ ପକ୍ଷରେ, ବିଜେଡି ଏହାକୁ ନୈତିକ ସମର୍ଥନ ଦେବ ବୋଲି ସୂଚନା ଦେଇଛି।

ନବନିର୍ମାଣ କୃଷକ ସଂଗଠନର ମୁଖ୍ୟ ଦାବିଗୁଡ଼ିକ ହେଲା: ସମସ୍ତ ଚାଷୀଙ୍କ ଧାନ ଏମ୍ଏସ୍ପି ଓ ଇନ୍ପୁଟ୍ ସବସିଡି ମିଶି ପ୍ରତି କ୍ଵିଣ୍ଟାଲ ୩୧୦୦ ଟଙ୍କା ହାରରେ କ୍ରୟ କରାଯାଉ, ଧାନ କ୍ରୟର ଟଙ୍କା ସଠିକ୍ ସମୟରେ ଚାଷୀଙ୍କ ଏକାଉଣ୍ଟରେ ପହଞ୍ଚୁ, ଟୋକେନ୍ ଓ ମଣ୍ଡି ବ୍ୟବସ୍ଥାର ସମସ୍ତ ବେଆଇନୀ ଓ ଦୁର୍ନୀତି ଦୂର ହେଉ ଏବଂ ଦଲାଲ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସଂଗଠନ କହିଛି ଯେ ଜରୁରୀକାଳୀନ ସେବାକୁ ଛାଡ଼ି ସବୁକିଛି ବନ୍ଦ ରହିବ।

ଗତ କିଛି ମାସ ଧରି ଧାନ କ୍ରୟ ଅବ୍ୟବସ୍ଥା, ବିଜୁଳି ବିଲ, ପ୍ରଦୂଷଣ ଆଦି ବିଷୟକୁ ନେଇ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରହିଥିଲା। ଚାଷୀଙ୍କ ସମସ୍ୟା ଉପରେ ଦଳଟି ନିୟମିତ ସ୍ୱର ଉତ୍ତୋଳନ କରିଆସିଥିଲା। ଏହି ପୃଷ୍ଠଭୂମିରେ ଆସନ୍ତାକାଲିର ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ ମିଳିଛି। ଦଳର ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ ସମସ୍ତ କର୍ମୀଙ୍କୁ ବନ୍ଦକୁ ସଫଳ କରିବାକୁ ସହଯୋଗ କରିବାକୁ ନିବେଦନ କରିଛନ୍ତି।