CulturalFeaturedLatestNews

ବରିଷ୍ଠ ନାଗରିକ ଓ ବିଧବାଙ୍କ ପାଇଁ ହେବ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ବରିଷ୍ଠ ନାଗରିକ ଓ ବିଧବା ମହିଳାଙ୍କୁ ପୁରୀ ଶ୍ରୀ ଜଗନ୍ନାଥ ଦର୍ଶନ କରାଇବା ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ ନାମରେ ଥିବା ଏହି ପରିକଳ୍ପନା ଅନୁଯାୟୀ ୬୦ ରୁ ୭୫ ବର୍ଷ ବୟସ୍କ ବରିଷ୍ଠ ନାଗରିକ ଏବଂ ୭୫ ବର୍ଷ ପର୍ଯ୍ୟନ୍ତ ବୟସ୍କ ବିଧବା ମହିଳାମାନେ ଲାଭାନ୍ୱିତ ହେବେ । ଏହି ଯୋଜନା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବା ସମ୍ଭାବନା ଅଛି ।

ପର୍ଯ୍ୟଟନ ବିଭାଗ ଏହି ଯୋଜନାର କାର୍ଯ୍ୟକାରିତା ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି । ଏଥିପାଇଁ ପଞ୍ଚାୟତ ସ୍ତରରେ ହିତାଧିକାରୀ ଚୟନ ପ୍ରକ୍ରିୟାର ବ୍ୟକ୍ତିଗତ ତଦାରଖ ଓ ତାଲିକା ପ୍ରସ୍ତୁତକରଣକୁ ଗୁରୁତ୍ୱ ଦିଆଯାଇଛି । ରାଜ୍ୟ ସରକାର ଏହି ଯୋଜନା ଅଧୀନରେ ୩୫ ହଜାର ଲୋକଙ୍କୁ ସାମିଲ କରିବା ଲକ୍ଷ୍ୟ ରଖିଛନ୍ତି ।

ଯୋଜନାର ହିତାଧିକାରୀଙ୍କୁ ସରକାରୀ ପେନସନ ଯୋଜନା ତାଲିକାରୁ ସ୍ୱୟଂଚାଳିତ ଭାବରେ ଚିହ୍ନଟ କରାଯାଇଥିବା ବେଲେ ଅଂଶଗ୍ରହଣ ପାଇଁ ସେମାନଙ୍କ ସମ୍ମତି ଆବଶ୍ୟକ । ଗତ ୧୫ ଜାନୁଆରୀ ୨୦୨୬ରେ ପେନସନ ବଣ୍ଟନ ଦିବସରେ ସମ୍ମତି ଫର୍ମ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ, ଅଧିକାଂଶ ଜିଲ୍ଲାରେ ଏହାର ପ୍ରଗତି ସନ୍ତୋଷଜନକ ନୁହେଁ ବୋଲି ପର୍ଯ୍ୟଟନ ବିଭାଗ ଦର୍ଶାଇଛି ।

ରାଜ୍ୟ ପାଇଁ ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ, ୨୦୨୫-୨୬ ଆର୍ଥିକ ବର୍ଷରେ ୫,୦୦୦ ଏବଂ ୨୦୨୬-୨୭ ଆର୍ଥିକ ବର୍ଷରେ ୩୦,୦୦୦ ହିତାଧିକାରୀଙ୍କୁ ଏହି ସୁବିଧା ପ୍ରଦାନ କରାଯିବା କଥା । ଏହି ଲକ୍ଷ୍ୟ ହାସଲ ପାଇଁ ଜିଲ୍ଲା ପ୍ରଶାସନ, ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ (DSSO) ଏବଂ ପର୍ଯ୍ୟଟନ ବିକାଶ ଅଧିକାରୀମାନଙ୍କୁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶ ଦେଇଛି ।