BusinessFeaturedGeneralLatest

୨୦୨୬-୨୭ ବଜେଟ୍: ଗ୍ରାମୀଣ ଆୟ ବୃଦ୍ଧି ପାଇଁ ଉଚ୍ଚମାନ କୃଷି ଉପରେ ଗୁରୁତ୍ଵ

ନୂଆଦିଲ୍ଲୀ (ସଂକେତ ଟିଭି): ପାରମ୍ପାରିକ କୃଷି ବ୍ୟତୀତ ବିଭିନ୍ନ ଉପାୟରେ ଗ୍ରାମୀଣ ଆୟ ଅଭିବୃଦ୍ଧି ତଥା ରୋଜଗାର ବଢାଇବା ପାଇଁ ସରକାର ବିଶେଷ ପଦକ୍ଷେପ ନେବାକୁ ଯତ୍ନଶୀଳ ହୋଇଛନ୍ତି । ପଶୁପାଳନ, ମତ୍ସ୍ୟଚାଷ ଏବଂ ଉଚ୍ଚମାନ ବିଶିଷ୍ଟ କୃଷି ପାଇଁ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ବଜେଟ ଅଧିବେଶନରେ ଅନେକ ଯୋଜନା ଉପସ୍ଥାପନ କରିଛନ୍ତି ।

ପଶୁପାଳନ ପାଇଁ ଋଣ-ସହାୟିତା ପୁଞ୍ଜି ସବସିଡି:

ଫାର୍ମରୁ ହେଉଥିବା ସମୁଦାୟ ଆୟର ୧୬ ପ୍ରତିଶତ କେବଳ ପଶୁପାଳନରୁ ଆସୁଥିବା କଥା ଉଲ୍ଲେଖ କରି ଅର୍ଥମନ୍ତ୍ରୀ ପଶୁପାଳନ ଉଦ୍ୟୋଗ ବିକାଶ ପାଇଁ ଏକ କ୍ରେଡିଟ୍ ଲିଙ୍କଡ୍ ସବସିଡି ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନା ଭେଟେରିନାରୀ କଲେଜ, ଚିକିତ୍ସାଳୟ, ପରୀକ୍ଷଣ କେନ୍ଦ୍ର ଓ ପ୍ରଜନନ କେନ୍ଦ୍ରକୁ ଆବୃତ କରିବ । ସରକାର ପଶୁଚିକିତ୍ସକଙ୍କ ସଂଖ୍ୟା ୨୦,୦୦୦ ପର୍ଯ୍ୟନ୍ତ ବଢାଇବା ଲକ୍ଷ୍ୟ ରଖିଛନ୍ତି ।

ମତ୍ସ୍ୟଚାଷ ଓ ଜଳାଶୟ ବିକାଶ:

ମତ୍ସ୍ୟପାଳନ କ୍ଷେତ୍ରରେ ସରକାର ୫୦୦ଟି ଜଳାଶୟ ଓ ‘ଅମୃତ ସରୋବର’ ସୃଷ୍ଟି କରିବେ । ଉପକୂଳ ଅଞ୍ଚଳରେ ମୂଲ୍ୟ ଶୃଙ୍ଖଳା ସଂଗଠିତ କରିବା, ବଜାର ସହିତ ଷ୍ଟାର୍ଟ-ଅପ୍ଗୁଡ଼ିକୁ ଯୋଡିବା, ମହିଳା ନେତୃତ୍ଵାଧୀନ ଦଳ ଗଠନ ଓ ମାଛ ବ୍ୟାପାରୀଙ୍କ ଅନୁଷ୍ଠାନ ସ୍ଥାପନା ଉପରେ ଗୁରୁତ୍ଵ ଦିଆଯିବ ।

ନଡ଼ିଆ, କାଜୁ, ବାଦାମ ଓ ଚନ୍ଦନ ଚାଷକୁ ପ୍ରୋତ୍ସାହନ:

ଉପକୂଳବର୍ତ୍ତୀ ଅଞ୍ଚଳରେ ନଡ଼ିଆ ଉତ୍ପାଦନ ବୃଦ୍ଧି ପାଇଁ ଏକ ନୂତନ ଯୋଜନା ଘୋଷଣା କରାଯାଇଛି, ଯେଉଁଥିରେ ଅଳ୍ପ ଉତ୍ପାଦନ ଦେଉଥିବା ପୁରୁଣା ଗଛ ବଦଳରେ ଉନ୍ନତ ପ୍ରଜାତି ରୋପଣ କରାଯିବ । କାଜୁ, ବାଦାମ ଓ କୋକୋ ଚାଷକୁ ପ୍ରୋତ୍ସାହନ ଦେବା ସହିତ ୨୦୩୦ ସୁଦ୍ଧା ଏହି ଖାତାଗୁଡିକରେ ଭାରତକୁ ବିଶ୍ୱ ବଜାରରେ ଏକ ବ୍ରାଣ୍ଡ ଭାବେ ପ୍ରତିଷ୍ଠିତ କରିବା ଲକ୍ଷ୍ୟ ରଖାଯାଇଛି । ବିଭିନ୍ନ ରାଜ୍ୟ ସହ ମିଶି ଚନ୍ଦନ ବୃକ୍ଷ ରୋପଣ ଓ ଏହାର ପ୍ରକ୍ରିୟାକରଣକୁ ସମର୍ଥନ ଦିଆଯିବ । ପାହାଡ଼ିଆ ଅଞ୍ଚଳରେ ୱାଲନଟ୍, ପିସ୍ତା ଓ ହସ୍ତବାଦାମ ଚାଷକୁ ମଧ୍ୟ ଉତ୍ସାହିତ କରାଯିବ ।

ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା:

ଏହି ବଜେଟରେ ଓଡ଼ିଶା ପାଇଁ କେତେକ ଗୁରୁତ୍ୱପୂଣ୍ଣ ପ୍ରସ୍ତାବ ରହିଛି । ରାଜ୍ୟରେ ଏକ ‘ରେୟାର ଆର୍ଥ କରିଡର’ ଗଠିତ ହେବ, ଯାହା ଖଣିଜ ସମ୍ପଦ ପରିବହନରେ ସହାୟକ ହେବ । ପାରାଦୀପ ଓ ଧାମରା ବନ୍ଦରକୁ ତାଳଚେର ଓ କଳିଙ୍ଗନଗର ସହ ଯୋଡ଼ିବା ପାଇଁ ରାଷ୍ଟ୍ରୀୟ ଜଳମାର୍ଗ-୫ ଯୋଜନାରେ କାର୍ଯ୍ୟ କରାଯିବ । ଏଥିସହ ୭ଟି ନୂତନ ହାଇସ୍ପିଡ ରେଳ କରିଡର ଏବଂ ମେଡିକାଲ ଟୁରିଜିମ କ୍ଷେତ୍ରର ବିକାଶ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ।