୨୦୨୬-୨୭ ବଜେଟ୍: ଓଡ଼ିଶାକୁ ମିଳିବ ‘ରେୟାର ଆର୍ଥ କରିଡର୍’
ନୂଆଦିଲ୍ଲୀ (ସଂକେତ ଟିଭି): କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣଙ୍କ ଦ୍ୱାରା ଆଜି ସଂସଦରେ ଉପସ୍ଥାପିତ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟରେ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ରାଜ୍ୟରେ ଏକ ‘ରେୟାର ଆର୍ଥ କରିଡର୍’ (ଦୁର୍ଲଭ ଖଣିଜ ସମ୍ପଦ କରିଡର୍) ପ୍ରତିଷ୍ଠା କରାଯିବ । ଏହି କରିଡର୍ ଆନ୍ଧ୍ରପ୍ରଦେଶ, କେରଳ ଏବଂ ତାମିଲନାଡୁ ସହିତ ଓଡ଼ିଶାକୁ ସଂଯୋଗ କରିବ ।
ଅର୍ଥମନ୍ତ୍ରୀ ସୀତାରମଣ ସଂସଦରେ ଦର୍ଶାଇଛନ୍ତି ଯେ, ୨୦୨୫ରେ ଆରମ୍ଭ ହୋଇଥିବା ‘ରେୟାର ଆର୍ଥ ପରମାନେଣ୍ଟ ମ୍ୟାଗନେଟ୍’ ଯୋଜନାକୁ ଆଗକୁ ବଢାଇ ଏହି କରିଡର୍ ପ୍ରତିଷ୍ଠା କରାଯିବ । ଖଣିଜ ସମୃଦ୍ଧ ଏହି ଚାରି ରାଜ୍ୟରେ ଏହା ପ୍ରତିଷ୍ଠିତ ହେବା ପ୍ରସ୍ତାବିତ ଅଟେ । ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ହେଉଛି ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ଏବଂ ଦୁର୍ଲଭ ଖଣିଜ ପଦାର୍ଥ ପାଇଁ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ।
ଏହି କରିଡର୍ ଚାରି ରାଜ୍ୟର ଖଣିଜ ଭଣ୍ଡାର, ବନ୍ଦର ସୁବିଧା ଏବଂ ଶିଳ୍ପିକ ଅବସ୍ଥାପନାକୁ ଏକତ୍ର କରିବ । ଏହା ଖଣିଜ ପଦାର୍ଥରୁ ଲେଖାଏଁ ଶେଷ ପ୍ରସ୍ତୁତ ପଣ୍ୟଦ୍ରବ୍ୟ ଯାଏଁ ଯୋଗାଣ ଶୃଙ୍ଖଳାକୁ ସରଳ ଏବଂ ସମର୍ଥ କରିବା ପାଇଁ ରୂପାୟିତ । ଏହା ଫଳରେ ଉତ୍ପାଦନ ଖର୍ଚ୍ଚ ହ୍ରାସ ପାଇବ ଏବଂ ପ୍ରତିଯୋଗିତା କ୍ଷମତା ବୃଦ୍ଧି ପାଇବ ।
କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବଜେଟ୍ ଘୋଷଣାକୁ ଓଡ଼ିଶା ପାଇଁ ଏକ ବଡ଼ ସୁଯୋଗ ବୋଲି ଆଖ୍ୟା ଦେଇଛନ୍ତି । ସେମିକଣ୍ଡକ୍ଟର୍, ଇଲେକ୍ଟ୍ରିକ୍ ଯାନ ଏବଂ ବିଶେଷ ପ୍ରକାରର ପଦାର୍ଥ ନିର୍ମାଣରେ ବ୍ୟବହୃତ ଦୁର୍ଲଭ ମ୍ୟାଗନେଟ୍ ପାଇଁ ଆବଶ୍ୟକ ଖଣିଜ ରେୟାର ଆର୍ଥରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବରେ ଉଭା ହୋଇପାରିବ ବୋଲି ସେ କହିଛନ୍ତି । ଏହି କରିଡର୍ ରାଜ୍ୟର ଅର୍ଥନୈତିକ ବିକାଶକୁ ଏକ ନୂଆ ଗତି ପ୍ରଦାନ କରିବ ବୋଲି ଆଶା କରାଯାଉଛି ।
