BusinessFeaturedGeneralLatest

ବଜେଟ୍ ୨୦୨୬-୨୭: କଣ ହେବ ଶସ୍ତା, କଣ ମହଙ୍ଗା ?

ନୂଆଦିଲ୍ଲୀ (ସଂକେତ ଟିଭି): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ଦିନ ଲୋକସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ମୋଦୀ ସରକାରରେ ତାଙ୍କର କ୍ରମାଗତ ନବମ ବଜେଟ୍ ଥିଲା । ବଜେଟ୍ରେ କଷ୍ଟମ୍ ଶୁଳ୍କରେ ବଡ଼ ପରିବର୍ତ୍ତନ ଆଣି ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଶସ୍ତା କରାଯାଇଛି, ଯେଉଁଥିରେ କ୍ୟାନ୍ସର ଔଷଧ, ମୋବାଇଲ୍ ବ୍ୟାଟେରୀ ଓ ମାଇକ୍ରୋୱେଭ୍ ଓଭେନ୍ ଅନ୍ୟତମ । ଅନ୍ୟ ପକ୍ଷରେ ମଦ, ସିଗାରେଟ୍ ଆଦି କେତୋଟି ବିଷୟ ମହଙ୍ଗା ହେବାକୁ ଯାଉଛନ୍ତି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟ କରିଛନ୍ତି ଯେ ଏହି ଶୁଳ୍କ ପରିବର୍ତ୍ତନ ମୁଖ୍ୟତଃ ‘ମେକ୍ ଇନ୍ ଇଣ୍ଡିଆ’ ଲକ୍ଷ୍ୟକୁ ସମର୍ଥନ କରିବା ପାଇଁ । ଦେଶରେ ନିର୍ମିତ ସାମଗ୍ରୀ ଉପରେ କଷ୍ଟମ୍ ଶୁଳ୍କ ହ୍ରାସ କରାଯାଇଛି, ଯେପରିକି ପ୍ରତିରକ୍ଷା ଉପକରଣ ଏବଂ ବିମାନ ନିର୍ମାଣର ଅଂଶଗୁଡ଼ିକ । ଏହାସହ ଚମଡ଼ା ଓ କପଡ଼ା ରପ୍ତାନି ପାଇଁ ଶୁଳ୍କ ମୁକ୍ତି ଦିଆଯାଇଛି ।

କେଉଁ ଜିନିଷଗୁଡ଼ିକ ଶସ୍ତା ହେବ (ସଂକ୍ଷିପ୍ତ ତାଲିକା):

  • କ୍ୟାନ୍ସର ଏବଂ ମଧୁମେହ ପାଇଁ ବ୍ୟବହୃତ ୧୭ ପ୍ରକାର ଔଷଧ ।
  • ୭ ପ୍ରକାର ବିରଳ ରୋଗ ପାଇଁ ଔଷଧ ଓ ବିଶେଷ ଖାଦ୍ୟ ।
  • ଲିଥିୟମ୍-ଆୟନ୍ ସେଲ୍ (ମୋବାଇଲ୍ ବ୍ୟାଟେରୀ), ମାଇକ୍ରୋୱେଭ୍ ଓଭେନ୍ ଏବଂ ସୌର ଗ୍ଲାସ୍ ।
  • ଚମଡ଼ା ଜିନିଷ, ପାଦୁକା, କପଡ଼ା ଏବଂ ସମୁଦ୍ରୀୟ ଖାଦ୍ୟ ଉତ୍ପାଦ ।
  • ବାୟୋଗ୍ୟାସ୍-ମିଶ୍ରିତ ସିଏନଜି, ବିଦେଶ ଶିକ୍ଷା ଏବଂ ବିଦେଶ ଟୁର୍ ପ୍ୟାକେଜ୍ ।
  • ବିମାନ ନିର୍ମାଣ ଅଂଶ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ।

କେଉଁ ଜିନିଷଗୁଡ଼ିକ ମହଙ୍ଗା ହେବ (ସଂକ୍ଷିପ୍ତ ତାଲିକା):

  • ମଦ୍ୟପାନ ଦ୍ରବ୍ୟ (ଆଲକୋହଲ୍) ଏବଂ ସିଗାରେଟ୍ ।
  • ପରମାଣୁ ଶକ୍ତି ପ୍ରକଳ୍ପର ଅଂଶଗୁଡ଼ିକ ।
  • କେତେକ ପ୍ରକାରର ସ୍କ୍ରାପ୍, ଲୌହ ଅଦ୍ୟା, କୋଇଲା ସମେତ ବିଭିନ୍ନ ଖଣିଜ ପଦାର୍ଥ ।

ବିଶ୍ଳେଷକଙ୍କ ମତରେ, ଏହି ବଜେଟ୍ ମଧ୍ୟମ ବର୍ଗ, ରୋଗୀ ଏବଂ ଘରୋଇ ଉତ୍ପାଦନକାରୀଙ୍କୁ ଲକ୍ଷ୍ୟ ରଖି ପ୍ରସ୍ତୁତ । ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷ ଶସ୍ତା ହେବାରୁ ସାଧାରଣ ଜନତା ଉପକୃତ ହେବେ ବୋଲି ଆଶା କରାଯାଉଛି । ଏହି ଶୁଳ୍କ ପରିବର୍ତ୍ତନ ଭାରତକୁ ଆତ୍ମନିର୍ଭରଶୀଳ ତଥା ବିଶ୍ୱରେ ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର ଭାବେ ଗଢ଼ିବାରେ ସହାୟକ ହେବ ବୋଲି ଅନୁମାନ କରାଯାଉଛି ।