FeaturedLatestNewsPolitics

ଜିଲ୍ଲାପାଳଙ୍କ ବିବାଦୀୟ ବକ୍ତବ୍ୟ: ବିଜେଡି କହିଲା ଚାକିରୀ ଛାଡି ଜିଲ୍ଲାପାଳ ରାଜନୀତି କରନ୍ତୁ

ଭୁବନେଶ୍ୱର (ସଂକେତ ଟିଭି): ସୁବର୍ଣ୍ଣପୁର ଜିଲ୍ଲାପାଳ ଡଃ ନୃପରାଜ ସାହୁଙ୍କ ରାଜନୈତିକ ସମ୍ବୋଧନକୁ ନେଇ ରାଜନୀତିର ପରିସର ତେଜିଲାଣି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗସ୍ତ ଅବସରରେ ଆୟୋଜିତ ସଭାରେ ସ୍ୱାଗତ ଭାଷଣ ଦେଇ ସାହୁ ପୂର୍ବତନ ସରକାରକୁ ଟାର୍ଗେଟ୍ କରି ବିବାଦ ସୃଷ୍ଟି କରିଛନ୍ତି । ତାଙ୍କ ବୟାନରେ ପ୍ରଶାସନିକ ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠିଛି ।

ଜିଲ୍ଲାପାଳ କହିଛନ୍ତି, “ମତେ ଦେଖିପାରିବ ନାହିଁ, ମତେ କଥା ହୋଇପାରିବ ନାହିଁ, ମତେ ଛୁଇଁପାରିବ ନାହିଁ ବୋଲି ଅଭିଭାଷଣ ରଖିଥିଲେ ।” ଏହି ମନ୍ତବ୍ୟକୁ ନେଇ ବିଜେଡି ଦଳ ତୀବ୍ର ପ୍ରତିକ୍ରିୟା ଦର୍ଶାଇଛି । ଦଳଟି ଏହାକୁ ମୁଖ୍ୟ ଶାସନ ସଚିବଙ୍କ ବିଫଳତା ବୋଲି କହି ଆକ୍ଷେପ କରିଛି ଯେ, ଜିଲ୍ଲାପାଳଙ୍କ ବିବୃତିରୁ ଜଣାପଡୁଛି ଯେ ଶାସନ ହୁଗୁଳା ହୋଇଗଲାଣି ।

ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ, ସୁବର୍ଣ୍ଣପୁର ଜିଲ୍ଲାର ଚାଷୀ ସମସ୍ୟା ଭଳି ଉତ୍କଟ ବିଷୟରେ ସମାଧାନ ବାହାର ନ କରି, ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବାକୁ ରାଜନୈତିକ ‘କାର୍ଟୁନ୍’ ହେଉଛନ୍ତି । ଦଳଟି ସ୍ପଷ୍ଟ କରିଛି, “ଯଦି ସେ ବିଜେପିରେ ଯୋଗ ଦେଇ ରାଜନୀତି କରିବାକୁ ଚାହାନ୍ତି, ଏଥିରେ ମନା ନାହିଁ । କିନ୍ତୁ ଚାକିରୀ ଛାଡି ଏହା କରନ୍ତୁ । ବିଜେପିରେ ଯୋଗ ଦେବାକୁ ସେ ବୋଧେ ମନସ୍ଥ କରି ସାରିଲେଣି ।”

ଜିଲ୍ଲାପାଳଙ୍କ ଏହି ଅଭିଭାଷଣ ପାଇଁ ବିରୋଧୀ ଦଳର ନେତାମାନେ ମଧ୍ୟ ଖୁବ୍ ଜୋର୍ରେ ବିରୋଧ ପ୍ରକାଶ କରିଛନ୍ତି । ଏହାସହ ନବ ନିର୍ମାଣ କୃଷକ ସଂଘ ଭଳି କୃଷକ ସଂଗଠନର କର୍ମକର୍ତ୍ତାମାନେ ମଧ୍ୟ ଏହି ଭାଷଣକୁ ଦୃଢ଼ ଭାବେ ନିନ୍ଦା କରିଛନ୍ତି । ଜିଲ୍ଲାର ଚାଷୀ ସମସ୍ୟା ଉପରେ ଧ୍ୟାନ ନ ଦେଇ ରାଜନୈତିକ ବିବାଦ ସୃଷ୍ଟି କରିବାକୁ ସେମାନେ ମଧ୍ୟ ଦୃଷ୍ଟି ଆକର୍ଷଣ କରାଇଛନ୍ତି ।