FeaturedLatestNews

ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟ ଫୋନ୍, ନୂଆ ୟୁନିଫର୍ମ ଓ ଆଇକାର୍ଡ

ଭୁବନେଶ୍ୱର (ସଂକେତ ଟିଭି): ମିଶନ ଶକ୍ତିର ସମ୍ପୃକ୍ତ ମହିଳା ସଦସ୍ୟା ଏବଂ ସମତାୟା କର୍ମୀଙ୍କୁ ଉତ୍କଳ ଦିବସରୁ ସ୍ମାର୍ଟ ଫୋନ୍, ନୂଆ ୟୁନିଫର୍ମ ଏବଂ ନୂଆ ଆଇକାର୍ଡ ପ୍ରଦାନ କରାଯିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଘୋଷଣା କରି କହିଛନ୍ତି ଯେ ମିଶନ ଶକ୍ତି ମହିଳାଙ୍କ ପାଇଁ ନିର୍ଦ୍ଧାରିତ ନୂଆ ଶାଢୀରେ ଓଡ଼ିଆ ଅସ୍ମିତାର ଝଲକ ରହିବ। ସ୍ମାର୍ଟ ଫୋନ୍ କମ୍ୟୁନିଟି ରିସୋର୍ସ ପର୍ସନ୍ (ସି.ଆର.ପି.)ଙ୍କୁ ଦିଆଯିବ ଏବଂ ଏହି ସୁବିଧା ପ୍ରାୟ ୪୬,୦୦୦ ସି.ଆର.ପି.ଙ୍କୁ ମିଳିବ।

ମିଶନ ଶକ୍ତି ଭବନରେ ଆୟୋଜିତ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସୁଧ ଫେରସ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହିଳା ସଶକ୍ତିକରଣ ଓ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ସରକାରୀ ଏହି ଋଣ ସୁଧ ଫେରସ୍ତ ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହା ଗୋଷ୍ଠୀମାନଙ୍କ ଆର୍ଥିକ ଭିତ୍ତିକୁ ସୁଦୃଢ଼ କରି ବଜାର ସୁଯୋଗ ସୃଷ୍ଟି କରୁଛି ଏବଂ ମହିଳା ଉଦ୍ୟୋଗୀଙ୍କୁ ଉତ୍ସାହିତ କରୁଛି।

ନୂଆ ସରକାର ଗଠନ ପରଠାରୁ ଏହି ସୁଧ ଫେରସ୍ତ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି। ପୂର୍ବରୁ ତିନି ପର୍ଯ୍ୟାୟରେ ୩ କୋଟି ୧୮ ଲକ୍ଷ ୩୦ ହଜାର ୧୬ ଟଙ୍କା ୬୪୫ ପରିମାଣର ସହାୟତା ପ୍ରଦାନ କରାଯାଇସାରିଛି, ଯାହାକି ୫ ଲକ୍ଷ ୪୪ ହଜାର ୪୯୩ଟି ଗୋଷ୍ଠୀକୁ ଲାଭାନ୍ୱିତ କରିଛି। ସଦ୍ୟ ପର୍ଯ୍ୟାୟରେ ଆଉ ୨ ଲକ୍ଷ ୮୦ ହଜାର ୫୮୬ଟି ଗୋଷ୍ଠୀକୁ ୧ କୋଟି ୯୭ ଲକ୍ଷ ୬୬ ହଜାର ୩୮୨ ଟଙ୍କା ୫୨ ଫେରସ୍ତ କରାଯାଇଛି।

ସୁଧର ବୋଝ ହ୍ରାସ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ସୀମା ବୃଦ୍ଧି କରିଛନ୍ତି ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ବାର୍ଷିକ ସୁଧ ହାର ଶୂନ୍ୟ କରିଛନ୍ତି। ଏହି ସୁଧ ଫେରସ୍ତ ରାଶି ସିଧାସଳଖ ଗୋଷ୍ଠୀମାନଙ୍କ ବ୍ୟାଙ୍କ ଖାତାକୁ ପ୍ରେରିତ ହେଉଛି।