FeaturedGeneralLatestPolitics

ଭୟଭୀତ ହୋଇ ଆମେରିକା ସହିତ ଆପୋଷ ବୁଝାମଣା କଲେ ମୋଦୀ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ସଂକେତ ଟିଭି): ସଂସଦର ଚଳିତ ବଜେଟ୍ ଅଧିବେଶନରେ ପୂର୍ବତନ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେଙ୍କ ଲିଖିତ ପ୍ରଶଙ୍ଗକୁ ନେଇ ମଙ୍ଗଳବାର ଅଚଳାବସ୍ଥା ଜାରି ରହିଲା। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ତାଙ୍କର ଭାଷଣରେ ଦେଶର ସୁରକ୍ଷା ପ୍ରସଙ୍ଗ ଉଠାଇବା ପରେ ହଙ୍ଗାମା ଆରମ୍ଭ ହୋଇଥିଲା। ଚୀନ୍ ପ୍ରସଙ୍ଗରେ ତାଙ୍କ ମନ୍ତବ୍ୟକୁ ନେଇ ଉଭୟ ପକ୍ଷରୁ ଜୋର୍ଦାର ପ୍ରତିକ୍ରିୟା ଦେଖାଦେଲା।

ହୋହଲ୍ଲା ମଧ୍ୟରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, “ମୋତେ କହିବାକୁ ଅନୁମତି ଦିଆଯାଉନାହିଁ। ମୁଁ ବିରୋଧୀ ଦଳର ନେତା, କହିବା ମୋର ଅଧିକାର, ହେଲେ ମୋତେ କହିବାକୁ ଦିଆଯାଉ ନାହିଁ।” ପ୍ରବଳ ବାଗ୍‌ବାଣ୍ଡ ପରେ ଗୃହକୁ ୩ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।

ସଭା ସ୍ଥଗିତ ହେବା ପରେ ରାହୁଲ ଗାନ୍ଧୀ ସଂସଦ ବାହାରେ ମିଡିଆକୁ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି ଭୟଭୀତ ଅଛନ୍ତି। ତାଙ୍କ ଉପରେ ବହୁତ ଚାପ ଅଛି।” ଆମେରିକା ସହ ହୋଇଥିବା ବାଣିଜ୍ୟ ଚୁକ୍ତିକୁ ଟାର୍ଗେଟ୍ କରି ସେ କହିଛନ୍ତି, “ମୋଦୀଙ୍କୁ ଚାପରେ ଆପୋଷ ବୁଝାମଣା କରିବାକୁ ବାଧ୍ୟ କରାଯାଇଛି। ନରେନ୍ଦ୍ର ମୋଦିଙ୍କ ଛବି ଏକ ବେଲୁନ ପରି, ଯାହା ହଜାର ହଜାର କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ କରାଯାଇଛି, ତାହା ଏବେ ଫାଟିଯାଇପାରେ।”

ବାଣିଜ୍ୟ ଚୁକ୍ତିକୁ ଲକ୍ଷ୍ୟ କରି ରାହୁଲ ଗାନ୍ଧୀ ଗୁରୁତ୍ୱପୂର୍ଣ୍ଣ ଆଭିଯୋଗ କରିଛନ୍ତି। ସେ କହିଛନ୍ତି, “ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମ ପ୍ରଧାନମନ୍ତ୍ରୀତ୍ୱ ସହ ସାଲିସ୍ କରିଦିଆଗଲା… ନରେନ୍ଦ୍ର ମୋଦି ଏହି ବାଣିଜ୍ୟ ଚୁକ୍ତିରେ ଆପଣମାନଙ୍କର କଠିନ ପରିଶ୍ରମକୁ ବିକ୍ରି କରିଦେଇଛନ୍ତି… ସେ ଦେଶକୁ ବିକ୍ରି କରିଦେଇଛନ୍ତି।”

ରାହୁଲ ଗାନ୍ଧୀ ମୋଦୀଙ୍କ ଉପରେ ଚାପର ଦୁଇଟି କାରଣ ଦର୍ଶାଇଛନ୍ତି। ସେ କହିଛନ୍ତି, “ଆମେରିକାରେ ଆଦାନୀ ବିରୁଦ୍ଧରେ ଏକ ମାମଲା ଅଛି, ଯାହା ପ୍ରକୃତରେ ମୋଦିଙ୍କ ବିରୁଦ୍ଧରେ ମାମଲା। ଏପଷ୍ଟିନ ଫାଇଲରେ ଆହୁରି ବହୁତ କିଛି ଅଛି ଯାହା ଆମେରିକା ଏପର୍ଯ୍ୟନ୍ତ ପ୍ରକାଶ କରିନାହିଁ। ଏହା ମଧ୍ୟ ଚାପ ସୃଷ୍ଟି କରୁଛି। ପ୍ରେସରର ଏହି ଦୁଇ ପଏଣ୍ଟକୁ ଦେଶ ବୁଝିବା ଉଚିତ।”