ଶ୍ରୀମନ୍ଦିରରେ ଦର୍ଶନ ପାଇଁ ପହଞ୍ଚିଲେ ରାଷ୍ଟ୍ରପତି, ଶ୍ୱେତଗଙ୍ଗାରେ କଲେ ପିଣ୍ଡଦାନ
ପୁରୀ(ସଂକେତ ଟିଭି): ଓଡ଼ିଶା ଗସ୍ତର ତୃତୀୟ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପୁରୀ ଯାଇଥିଲେ । ପୁରୀରେ ପହଞ୍ଚିବା ପରେ ପ୍ରଥମେ ସେ ଶ୍ୱେତଗଙ୍ଗାରେ ପିତୃପୁରୁଷଙ୍କ ପାଇଁ ଶ୍ରାଦ୍ଧ ଓ ପିଣ୍ଡଦାନ କାର୍ଯ୍ୟ ସମ୍ପାଦନ କରିଥିଲେ ।
ଏହାପରେ ସକାଳ ୭ଟା ୪୦ ମିନିଟ୍ରେ ସେ ଶ୍ରୀମନ୍ଦିର ପରିସରକୁ ଆସିଥିଲେ । ସିଂହଦ୍ୱାର ନିକଟରେ ରାଜ୍ୟପାଳ ହରିଚରଣ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗଜପତି ମହାରାଜା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷ ତାଙ୍କୁ ସ୍ୱାଗତ ଜଣାଇଥିଲେ । ରାଷ୍ଟ୍ରପତି ପ୍ରଥମେ ଅରୁଣ ସ୍ତମ୍ଭକୁ ପ୍ରଣାମ କରି ମନ୍ଦିରକୁ ପ୍ରବେଶ କରିଥିଲେ ।
ରାଷ୍ଟ୍ରପତି ନାଟମଣ୍ଡପ ଦେଇ ପ୍ରବେଶ କରିବା ସମୟରେ ବେଦ ପାଠ କରାଯାଇଥିଲା । ପରେ ସେ ଗର୍ଭଗୃହରେ ପ୍ରବେଶ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ଏବଂ ନିଜେ ଦୀପ ଲଗାଇ ଆରାଧନା କରିଥିଲେ । ସେ ପ୍ରାୟ ୨୦ ମିନିଟ୍ ଧରି ଗର୍ଭଗୃହରେ ଉପସ୍ଥିତ ଥିଲେ ।
ମହାପ୍ରଭୁଙ୍କ ଦର୍ଶନ ପରେ ରାଷ୍ଟ୍ରପତି ମୁକ୍ତିମଣ୍ଡପକୁ ଯାଇ ସେଠାରେ ବ୍ରାହ୍ମଣଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ । ଏହାପରେ ସେ ଦେବୀ ବିମଳା ଓ ମା’ ଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ତାଙ୍କ ମଙ୍ଗଳ କାମନା କରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀଳଚକ୍ରରେ ପତିତପାବନ ବାନା ଲଗାଯାଇଥିଲା ।
ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ସେ ବାଇଶି ପାହାଚରେ କିଛି ସମୟ ବସି ମହାପ୍ରଭୁଙ୍କୁ ସ୍ମରଣ କରିଥିଲେ । ସିଂହଦ୍ୱାର ନିକଟରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଶୁଖିଲି ଭୋଗ, ଖଣ୍ଡୁଆ ଏବଂ ଏକ ସୁନାବେଶର ପଟ୍ଟଚିତ୍ର ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା । ମନ୍ଦିର ପରିସରରୁ ବାହାରିବା ସମୟରେ ସେ କିଛି ଦୂର ପାଦରେ ଚାଲି ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଶ୍ରଦ୍ଧାଳୁଙ୍କୁ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଏହା ଚତୁର୍ଥ ଥର ପାଇଁ ପୁରୀ ଗସ୍ତରେ ଆସିଥିଲେ । ପୂର୍ବରୁ ସେ ୨୦୨୨ରେ ପ୍ରଥମ ଥର, ୨୦୨୪ ରଥଯାତ୍ରା ସମୟରେ ଏବଂ ଡିସେମ୍ବର ୨୦୨୪ରେ ନାଭି ସୋ ଉତ୍ସବରେ ଯୋଗଦେବା ପାଇଁ ପୁରୀ ଆସିଥିଲେ ।
