FeaturedLatestNews

ଶ୍ରୀମନ୍ଦିରରେ ଦ୍ୱିତୀୟ ପଞ୍ଜିକା ସମୀକରଣ ବୈଠକ: ତ୍ରୁଟିହୀନ ପାଞ୍ଜି ପାଇଁ ଆଲୋଚନା

ପୁରୀ (ସଂକେତ ଟିଭି): ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଜି ଦ୍ୱିତୀୟ ପଞ୍ଜିକା ସମୀକରଣ ବୈଠକ ଅନୁଷ୍ଠିତ ହେଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଯୁତ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବର୍ଷ ୨୦୨୫ର ପର୍ବପର୍ବାଣି ତାରିଖ ସମ୍ବନ୍ଧୀୟ ତ୍ରୁଟି ଦୂରୀକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି।

ଗତ ମାସ ୨୯ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୮ ଜଣ ପଞ୍ଜିକାରଙ୍କୁ ଡକାଯାଇଥିଲେ ମଧ୍ୟ, ମାତ୍ର ୫ ଜଣ ସେମାନଙ୍କ ପାଣ୍ଡୁଲିପି ଦାଖଲ କରିଥିଲେ। ଓଡ଼ିଶାରେ ପ୍ରକାଶିତ ବିଭିନ୍ନ ପାଞ୍ଜି ମଧ୍ୟରେ ତାରିଖ ଓ ତିଥି ନେଇ ଅସମାନତା ଦୀର୍ଘ ବର୍ଷ ଧରି ଆଲୋଚନାର କାରଣ ହୋଇଆସିଛି। ଗତବର୍ଷ ୨୦୨୫ରେ ପିତୃଶ୍ରାଦ୍ଧ, ସରସ୍ୱତୀ ପୂଜା, କାଳୀପୂଜା, ଶିବରାତ୍ରି ଓ ଜନ୍ମାଷ୍ଟମୀ ଆଦି ପର୍ବପର୍ବାଣି ନେଇ ବିବାଦ ଦେଖାଦେଇଥିଲା।

ଏଥିପାଇଁ ଏକ ସ୍ବତନ୍ତ୍ର ଆଇନଗତ ବ୍ୟବସ୍ଥା କରିବାକୁ ଗତ ବୈଠକରେ ଦାବି ଉଠିଥିଲା। ତ୍ରୁଟିଶୂନ୍ୟ ଓ ସର୍ବସମ୍ମତ ପଞ୍ଜିକା ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ବାରମ୍ବାର ବୈଠକ କରୁଥିଲେ ମଧ୍ୟ, ଅନେକ ପ୍ରକାଶନ ସଂସ୍ଥା ସହଯୋଗ କରୁନାହାନ୍ତି। ଆଜିର ବୈଠକରେ ଏହି ଚ୍ୟାଲେଞ୍ଜ ଓ ସମାଧାନ ଉପରେ ଆଲୋଚନା ହୋଇଛି।

ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ ଏକ ସ୍ଥାୟୀ ସମାଧାନ ଭାବରେ ୫ଟି ସ୍ବିକୃତିପ୍ରାପ୍ତ ପଞ୍ଜିକାକୁ ଆଧାର ଭାବରେ ଗ୍ରହଣ କରିବା ସହିତ, ସେଗୁଡ଼ିକୁ ନେଇ ସ୍ଥିରୀକୃତ ପର୍ବପର୍ବାଣି ଅନୁସାରେ ମହାପ୍ରଭୁଙ୍କ ନୀତି ନିୟମ ନିର୍ଦ୍ଧାରଣ କରିବେ ବୋଲି ସୂଚନା ଦିଆଯାଇଛି।