ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ବିଶେଷାଧିକାର ହନନ ନୋଟିସ୍ ଆଣିବାକୁ ଯାଉଛନ୍ତି ସରକାର
ନୂଆଦିଲ୍ଲୀ(ସଂକେତ ଟିଭି): ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୁଣିଥରେ ନିଜ ଭାଷଣକୁ ନେଇ ବିବାଦ ଘେରକୁ ଆସିଛନ୍ତି। ବଜେଟ୍ ଉପରେ ଚର୍ଚ୍ଚା କାଳରେ ସେ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦେଇଥିବା ବୟାନକୁ ନେଇ ଏବେ ସରକାର ତାଙ୍କ ବିରୁଦ୍ଧରେ ବିଶେଷାଧିକାର ହନନ ନୋଟିସ୍ ଆଣିବାକୁ ଯାଉଛନ୍ତି।
ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଅଭିଯୋଗ କରିଛନ୍ତି ଯେ ବିରୋଧୀ ଦଳ ନେତା ଅଧିକାଂଶ ସମୟରେ ମନଗଢ଼ା କାହାଣୀ ଓ ମିଛ ଅଭିଯୋଗ ଲଗାଉଛନ୍ତି, ଯାହା ଦ୍ୱାରା ଗୃହର ମର୍ଯ୍ୟାଦାହାନୀ ହେଉଛି। ବୁଧବାର ଏକ ବଡ଼ ବୟାନ ଦେଇ ରିଜିଜୁ କହିଛନ୍ତି, “ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ମଧ୍ୟ ଭୁଲ ବୟାନ ଦେଇ ଗୃହକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି। ଆଜି ସନ୍ଧ୍ୟା ୫ଟା ସୁଦ୍ଧା ସେ ନିଜ ବୟାନ ପାଇଁ କ୍ଷମା ପ୍ରାର୍ଥନା କରିବାକୁ କୁହାଯାଇଛି, ନଚେତ୍ ତାଙ୍କ ବିରୁଦ୍ଧରେ ବିଶେଷାଧିକାର ହନନ ପ୍ରସ୍ତାବ ଅଣାଯିବ।”
କିରେନ ରିଜିଜୁ କହିଛନ୍ତି ଯେ ଗୃହରେ ବିଭ୍ରାନ୍ତିକର ବୟାନକୁ ନେଇ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ପ୍ରିଭିଲେଜ୍ ନୋଟିସ୍ ଫାଇଲ୍ କରାଯିବ। ଲୋକସଭା ଓ ରାଜ୍ୟସଭାର ନିୟମାବଳୀରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ, ଯେତେବେଳେ କୌଣସି ସଦସ୍ୟ ଅନ୍ୟ ସଦସ୍ୟଙ୍କ ବିରୋଧରେ ଅଭିଯୋଗ ଆଣିବାକୁ ଚାହାନ୍ତି, ତେବେ ପ୍ରଥମେ ନୋଟିସ୍ ଦେବାକୁ ପଡ଼ିବ ଏବଂ ଅଭିଯୋଗକୁ ପ୍ରମାଣିତ କରିବାକୁ ହେବ।
“ମୁଁ ଅନୁରୋଧ କରୁଛି ଯେ ରାହୁଲ ଗାନ୍ଧୀଙ୍କୁ ଗୃହକୁ ଡକାଯାଉ, ଫଳରେ ସେ ତାଙ୍କ କଥାକୁ ପ୍ରମାଣିତ କରିପାରିବେ। ରାହୁଲ ଗାନ୍ଧୀ ସରକାର ଓ ପ୍ରଧାନମନ୍ତ୍ରୀଙ୍କ ଉପରେ ବେକାର ଓ ମିଛ ଅଭିଯୋଗ ଲଗାଇଛନ୍ତି। ବିନା କୌଣସି ନୋଟିସରେ ସେ ହରଦୀପ ସିଂହ ପୁରୀଙ୍କ ଉପରେ ମଧ୍ୟ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି।”
ବୁଧବାର ଲୋକସଭାରେ ବଜେଟ୍ ଉପରେ ଚର୍ଚ୍ଚା କାଳରେ ରାହୁଲ ଗାନ୍ଧୀ ଓ କିରେନ ରିଜିଜୁଙ୍କ ମଧ୍ୟରେ ତୀବ୍ର କଥାକଟାକଟି ହୋଇଥିଲା। ରାହୁଲ ଗାନ୍ଧୀ ସରକାରଙ୍କ ଉପରେ ‘ହୋଲସେଲ ସରେଣ୍ଡର’ ଏବଂ ଡାଟା ସୁରକ୍ଷା ବୁଝାମଣାର ଗୁରୁତର ଆରୋପ ଲଗାଇଥିଲେ। ଏହା ଉପରେ ରିଜିଜୁ କଡ଼ା ଆପତ୍ତି ଉଠାଇ କହିଥିଲେ ଯେ ବିରୋଧୀ ଦଳ ନେତା ବିନା କୌଣସି ମଜଭୁତ ପ୍ରମାଣରେ ପ୍ରଧାନମନ୍ତ୍ରୀ ଏବଂ ଦେଶର ଛବି ଖରାପ କରୁଛନ୍ତି।
ରିଜିଜୁ ଚ୍ୟାଲେଞ୍ଜ କରି କହିଥିଲେ, “ରାହୁଲ ଗାନ୍ଧୀ ସଦନ ପଟଳରେ ଯେଉଁ ସବୁ ଆରୋପ ଲଗାଇଛନ୍ତି, ତାହା ପ୍ରମାଣିତ କରନ୍ତୁ।” ଏହି ବିତର୍କ ବ୍ୟକ୍ତିଗତ ଆରୋପ, ବିଜନେସ୍ ହାଉସ୍ ଏବଂ ଅନ୍ତର୍ଜାତୀୟ ଫାଇଲକୁ ନେଇ ବେଶ୍ ଉତ୍ତେଜକ ହୋଇଥିଲା।
କିରେନ ରିଜିଜୁ ରାହୁଲ ଗାନ୍ଧୀଙ୍କ ‘ଦେଶ ବିକ୍ରି’, ‘ହୋଲସେଲ ସରେଣ୍ଡର’ ବୟାନ ଉପରେ ପାଲଟା ଆକ୍ରମଣ କରି କହିଛନ୍ତି ଯେ ସଂସଦୀୟ ନିୟମ ଅନୁସାରେ ବିନା ଆଧାରରେ ଆରୋପ ଲଗାଯାଇ ପାରିବ ନାହିଁ। ସେ ପୀଠାସୀନ ଅଧିକାରୀଙ୍କ ଧ୍ୟାନ ଆକର୍ଷଣ କରି ଦାବି କରିଥିଲେ ଯେ ରାହୁଲ ଗାନ୍ଧୀ ଗୃହରେ ଯାହାବି ଅଭିଯୋଗ କରିଛନ୍ତି, ତାକୁ ଗୃହ କାର୍ଯ୍ୟର ଅଂଶ କରିବା ପୂର୍ବରୁ ତାଙ୍କୁ ସେଗୁଡ଼ିକୁ ପ୍ରମାଣିତ କରିବାକୁ କୁହାଯାଉ।
ରିଜିଜୁ ଗୃହରେ ଜୋର ଦେଇ କହିଛନ୍ତି, “ଏପରି କୌଣସି ମାର ପୁଅ ନାହିଁ ଯିଏ ଦେଶକୁ ବିକ୍ରି କରିଦେବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶର ସାର୍ଭଭୌମତ୍ୱ ସୁରକ୍ଷିତ ଅଛି।”
ରାହୁଲ ଗାନ୍ଧୀ ଯେତେବେଳେ ଗୃହରେ ଆଦାନୀ, ଅନିଲ ଅମ୍ବାନୀ ଓ ଏପଷ୍ଟିନ ଫାଇଲକୁ ନେଇ ସରକାରଙ୍କୁ ଘେରିଥିଲେ, ସେତେବେଳେ କିରେନ ରିଜିଜୁ ଏବଂ ରବିଶଙ୍କର ପ୍ରସାଦ ଏହାକୁ ‘ତ୍ରୁଟିପୂର୍ଣ୍ଣ’ ବୟାନ ବୋଲି କହିଥିଲେ। ରିଜିଜୁ କହିଛନ୍ତି, “ବିନା ତଥ୍ୟରେ ପବନରେ କଥା ହେବା ରାହୁଲ ଗାନ୍ଧୀଙ୍କ ଅଭ୍ୟାସ ହୋଇଗଲାଣି।”
ସେ ପୀଠାସୀନ ଅଧିକାରୀ ଜଗଦମ୍ବିକା ପାଲଙ୍କୁ ସଦନର ଗାରିମାକୁ ଠେସ ପହଞ୍ଚାଉଥିବା ତଥା ବିନା ପ୍ରମାଣରେ ଦିଆଯାଇଥିବା ବୟାନକୁ ରେକର୍ଡରୁ ହଟାଇବାକୁ ନିବେଦନ କରିଥିଲେ।
ସଂସଦରେ ବଜେଟ୍ ଚର୍ଚ୍ଚା କାଳରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ‘ହୋଲସେଲ ସରେଣ୍ଡର’ର ଆରୋପ ଲଗାଇ କହିଥିଲେ ଯେ ଦେଶର ସ୍ୱାର୍ଥକୁ ବିଦେଶୀ ଶକ୍ତିଙ୍କ ନିକଟରେ ବିକ୍ରି କରିଦିଆଯାଇଛି। ସେ ଅଭିଯୋଗ କରିଛନ୍ତି:
- ଭାରତ ନିଜର ଗୁରୁତ୍ୱପୂର୍ଣ୍ଣ ଡାଟା ଓ କୃଷି କ୍ଷେତ୍ରକୁ ଆମେରିକୀୟ ଫାର୍ମଙ୍କ ହାତକୁ ଟେକି ଦେଇଛି, ଯେଉଁଥିରେ ଭାରତୀୟ ଚାଷୀ ସଙ୍କଟରେ ପଡ଼ିଛନ୍ତି।
- ବିବାଦୀୟ ଏପଷ୍ଟିନ ଫାଇଲର ଉଲ୍ଲେଖ କରି ସେ କହିଛନ୍ତି ଯେ କେତେକ ବଡ଼ ବ୍ୟବସାୟୀଙ୍କ ବିରୋଧରେ ଅପରାଧିକ ଅଭିଯୋଗ ଥାଇ ମଧ୍ୟ ସେମାନେ ଜେଲ୍ ନଯାଇ ଖୋଲାରେ ବୁଲୁଛନ୍ତି, କାରଣ ସେମାନେ ସରକାରଙ୍କ ନିକଟତମ।
- ଆଦାନୀ ସମୂହକୁ ବିଜେପିର ଫାଇନାନ୍ସିଆଲ ଷ୍ଟ୍ରକ୍ଚର କହି ସେ ପ୍ରଧାନମନ୍ତ୍ରୀ ମୋଦି ଚାପରେ ଥିବା ଏବଂ ତାଙ୍କ ଆଖିରେ ଡର ଦେଖାଯାଉଥିବା କହିଛନ୍ତି।
- ଭାରତ ସରକାରଙ୍କ ନିଷ୍ପତ୍ତି ଏବେ ନୂଆଦିଲ୍ଲୀରେ ନ ହୋଇ ଆମେରିକାରେ ହେଉଛି ବୋଲି ସେ ଗୁରୁତର ଅଭିଯୋଗ କରିଛନ୍ତି।
ଏହି ଅଭିଯୋଗକୁ କେନ୍ଦ୍ରୀୟ ମନ୍ତ୍ରୀ କିରେନ ରିଜିଜୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମନଗଢ଼ା ବୋଲି ମତ ଦେଇଛନ୍ତି।
