୧୨ ଘଣ୍ଟିଆ ଭାରତ ବନ୍ଦ, ରାଜ୍ୟରେ ପଡିଲା ବ୍ୟାପକ ପ୍ରଭାବ
ଭୁବନେଶ୍ୱର(ସଂକେତ ଟିଭି): କେନ୍ଦ୍ର ସରକାରଙ୍କ ବିବାଦୀୟ ଶ୍ରମ ଆଇନ ବିରୋଧରେ ଦେଶବ୍ୟାପୀ ପ୍ରତିବାଦର ନିଆଁ ବ୍ୟାପିଛି। ୧୦ଟି ପ୍ରମୁଖ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନର ମିଳିତ ଡାକରାରେ ୧୨ ଘଣ୍ଟିଆ ଭାରତ ବନ୍ଦ ପାଳିତ ହୋଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଥିଲା।
ଶ୍ରମିକମାନଙ୍କ ୧୨ ଦଫା ଦାବି ପୂରଣ ଲାଗି ଆୟୋଜିତ ଏହି ବନ୍ଦ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ପ୍ରଭାବ ପକାଇଥିଲା। ବିଭିନ୍ନ ଜିଲ୍ଲାରେ କର୍ମୀମାନେ ରାସ୍ତାରୋକ ଓ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବସ୍ ଓ ଟ୍ରେନ୍ ଚଳାଚଳ ଆଂଶିକ ପ୍ରଭାବିତ ହେବା ସହ ଦୋକାନ ବଜାର ଓ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଥିଲା।
ରାଜ୍ୟରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନର ଏହି ଡାକରାକୁ ବିଜୁ ଶ୍ରମିକ ସାମ୍ମୁଖ୍ୟ ସମର୍ଥନ ଜଣାଇଥିଲା। କଂଗ୍ରେସ ମଧ୍ୟ ବନ୍ଦକୁ ସମର୍ଥନ ଜଣାଇଥିଲା। ତେବେ ଜରୁରୀକାଳୀନ ସେବା ଯଥା ଆମ୍ବୁଲାନ୍ସ, ଅଗ୍ନିଶମ ଓ ଡାକ୍ତରଖାନାକୁ ବନ୍ଦରୁ ବାଦ୍ ଦିଆଯାଇଥିଲା।
