୯ ହଜାର କୋଟି ଟଙ୍କା ବ୍ୟୟରେ ହେବ ବ୍ରହ୍ମପୁର-ଜୟପୁର ରାସ୍ତା
ଭୁବନେଶ୍ବର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ ର ଆକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା ରହିଛି, ଯାହା ଗତ ଆର୍ଥିକ ବର୍ଷ ତୁଳନାରେ ୬.୯ ପ୍ରତିଶତ ଅଧିକ। ନୂତନ ଆର୍ଥିକ ବର୍ଷ ପାଇଁ ଆଗତ ଏହି ବଜେଟ୍ରେ ରାଜ୍ୟର ସାମଗ୍ରିକ ବିକାଶ ଉପରେ ଗୁରୁତ୍ବ ଦିଆଯାଇଥିବା ଦେଖିବାକୁ ମିଳିଛି।
ବଜେଟ୍ ଉପସ୍ଥାପନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟର ଭିତ୍ତିଭୂମିର ବିକାଶ ଉପରେ ସରକାରଙ୍କ ବିଶେଷ ଧ୍ୟାନ ରହିଥିବା କହିଛନ୍ତି। ସେ କହିଛନ୍ତି, “ଆମେ ଆମର ଭବିଷ୍ୟତ ପିଢ଼ି ପାଇଁ ବିଶ୍ବସ୍ତରୀୟ ଭିତ୍ତିଭୂମି ନିର୍ମାଣ କରିବୁ।” ଏହି ଲକ୍ଷ୍ୟ ହାସଲ ପାଇଁ ଆଗାମୀ ବର୍ଷଗୁଡ଼ିକରେ ଅନେକ ନୂତନ ପ୍ରମୁଖ ସଡ଼କ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ସେ ଘୋଷଣା କରିଛନ୍ତି।
ଏହି ଘୋଷଣା ଅନୁଯାୟୀ, ରାଜ୍ୟର ଦୁଇ ଗୁରୁତ୍ବପୂର୍ଣ୍ଣ ସହର ବ୍ରହ୍ମପୁର ଓ ଜୟପୁରଙ୍କୁ ସଂଯୋଗ କରିବା ପାଇଁ ଏକ ବୃହତ୍ତ୍ୟ ପ୍ରକଳ୍ପ ପ୍ରସ୍ତାବିତ ହୋଇଛି। ପ୍ରାୟ ୯ ହଜାର କୋଟି ଟଙ୍କା ବ୍ୟୟରେ ୨ ଶହ ୮୭ କିଲୋମିଟର ଲମ୍ବା ବ୍ରହ୍ମପୁର-ଜୟପୁର ରାସ୍ତା ନିର୍ମାଣ କରାଯିବ। ଏହା କୋରାପୁଟ ଜିଲ୍ଲାର ଜୟପୁର ସହରକୁ ଉପକୂଳବର୍ତ୍ତୀ ସହର ବ୍ରହ୍ମପୁର ସହିତ ସିଧାସଳଖ ସଂଯୋଗ କରିବ।
ସେହିପରି ରାଜ୍ୟରେ ଦୁଇଟି ପ୍ରମୁଖ ଏକ୍ସପ୍ରେସୱେ ନିର୍ମାଣ କରିବାକୁ ଯୋଜନା ରହିଛି। ପୂର୍ବ-ପଶ୍ଚିମ କରିଡର ଭାବେ ପରିକଳ୍ପିତ ନମୋ ଏକ୍ସପ୍ରେସୱେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିକୁ ବରଗଡ଼ ଜିଲ୍ଲାର ଅମ୍ବାଭୋନା ସହିତ ସଂଯୋଗ କରିବ। ଅପରପକ୍ଷେ, ୯ ଶହ ୬୯ କିଲୋମିଟର ଲମ୍ବା ଉତ୍ତର-ଦକ୍ଷିଣ କରିଡର ଭାବେ ପରିକଳ୍ପିତ ଅଟଳ ଏକ୍ସପ୍ରେସ ୱେ ମାଲକାନାଗିରି ଜିଲ୍ଲାର ମୋଟୁକୁ ମୟୂରଭଞ୍ଜ ଜିଲ୍ଲାର ତିରିଙ୍ଗି ସହିତ ସଂଯୋଗ କରିବ। ଏହି ବୃହତ୍ତ୍ୟ ପ୍ରକଳ୍ପଗୁଡ଼ିକ ରାଜ୍ୟର ଆର୍ଥିକ ରାଜଧାନୀକୁ ସଂଯୋଗ କରିବା ସହିତ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ବିପ୍ଳବ ଆଣିବ ବୋଲି ଆଶା କରାଯାଉଛି।
