ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା: ଗରିବ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କିଆ ସହାୟତା
ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟ ବଜେଟ୍ ୨୦୨୬-୨୭ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ବଜେଟରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଆର୍ଥିକ ଦୁର୍ବଳ ପରିବାରର ଝିଅମାନଙ୍କ ଉଚ୍ଚଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’ର ଘୋଷଣା କରାଯାଇଛି।
ବଜେଟ୍ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଝିଅ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କରିବା। ଏହି ଲକ୍ଷ୍ୟ ପୂରଣ ପାଇଁ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ’ ଯୋଜନା ଆରମ୍ଭ କରାଯିବ ବୋଲି ସେ ପ୍ରସ୍ତାବ ରଖିଥିଲେ।
ଏହି ଯୋଜନା ଅନୁଯାୟୀ, ଆର୍ଥିକ ଦୁର୍ବଳ ବର୍ଗର ପରିବାରରେ ଜନ୍ମ ହୋଇଥିବା ଝିଅଙ୍କ ନାମରେ ୨୦ ହଜାର ଟଙ୍କାର ଏକ ସଞ୍ଚୟ ଉପକରଣ (ସେଭିଙ୍ଗ୍ସ ଇନ୍ଷ୍ଟ୍ରୁମେଣ୍ଟ) ସୃଷ୍ଟି କରାଯିବ। ଯେତେବେଳେ ଝିଅଟି ନିଜର ସ୍ନାତକ ଶିକ୍ଷା ସଫଳତାର ସହ ସମାପ୍ତ କରିବ, ସେତେବେଳେ ତାଙ୍କୁ ମୋଟ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହା କେବଳ ଆର୍ଥିକ ସହାୟତା ନୁହେଁ ବରଂ ଝିଅମାନଙ୍କର ଶିକ୍ଷା ପ୍ରତି ଏକ ପ୍ରୋତ୍ସାହନ। ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ଝିଅମାନଙ୍କ ଉଚ୍ଚଶିକ୍ଷାର ହାର ବୃଦ୍ଧି ପାଇବ ଏବଂ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି।
