CulturalFeaturedLatestNews

ରାଜ୍ୟ ବଜେଟ୍ : ଶ୍ରୀମନ୍ଦିର ବିକାଶ ପ୍ରକଳ୍ପ ପାଇଁ ୧ ହଜାର କୋଟି ଟଙ୍କାର ବ୍ୟୟ ବରାଦ

ଭୁବନେଶ୍ବର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ ଆରମ୍ଭରେ ହିଁ ମୁଖ୍ୟମନ୍ତ୍ରୀ ପ୍ରଭୁ ଜଗନ୍ନାଥ ଓ ପୁରୀ ସହ ଜଡ଼ିତ ବିକାଶ ପ୍ରକଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏହି ସବୁ ବିକାଶ ପ୍ରକଳ୍ପ ପାଇଁ ମୋଟ ୧ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ସମଗ୍ର ବିଶ୍ୱର ଭକ୍ତମାନେ ପ୍ରଭୁ ଜଗନ୍ନାଥଙ୍କୁ କୌଣସି ବସ୍ତୁ କିମ୍ବା ରାଶି ଦାନ କରିବାକୁ ଶୁଭ ମନେ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ଶ୍ରୀମନ୍ଦିର ପାଇଁ ‘ସମର୍ପଣ’ ନାମରେ ଏକ ସୁରକ୍ଷିତ ଅନଲାଇନ୍ ଦାନ ପ୍ଲାଟଫର୍ମ ‘ଡିଜିଟାଲ୍ ହୁଣ୍ଡି’ ପ୍ରଚଳନ କରିଛନ୍ତି। ଏହି ପ୍ଲାଟଫର୍ମ ଶ୍ରୀମନ୍ଦିର ପ୍ରଶାସନର ସରକାରୀ ପୋର୍ଟାଲ ସହ ସମନ୍ୱିତ ଏକୀକୃତ ପ୍ରବେଶ ପଥ ମାଧ୍ୟମରେ ଦେଶ ତଥା ବିଦେଶର ଭକ୍ତମାନଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ସହ ସିଧାସଳଖ ସଂଯୋଗ କରିବ। ଭକ୍ତମାନଙ୍କର ସହଜ ସବୁଧା ପାଇଁ ଏଥିରେ ବହୁବିଧ ଦେୟ ସୁବିଧା ମଧ୍ୟ ରହିଛି।

ଏହା ସହିତ, ଶ୍ରୀମନ୍ଦିରର ରତ୍ନ ଭଣ୍ଡାରରେ ଥିବା ଅଳଙ୍କାରର ଗଣତି ଓ ମଣତି ପାଇଁ ୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହି ଘୋଷଣା ଦ୍ୱାରା ପୁରୀ ଶ୍ରୀମନ୍ଦିରର ବିକାଶ ଓ ପରିଚାଳନାକୁ ଆହୁରି ଗତିଶୀଳ କରାଯାଇପାରିବ ବୋଲି ଆଶା କରାଯାଉଛି।