FeaturedLatestNewsPolitics

ଶଙ୍ଖ ଭବନରେ ବିଜୁ ମହିଳା ଦଳର ନୂତନ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ

ଭୁବନେଶ୍ବର (ସଂକେତ ଟିଭି): ଶଙ୍ଖ ଭବନ ଠାରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ବିଜୁ ମହିଳା ଜନତା ଦଳର ନବନିଯୁକ୍ତ କର୍ମକର୍ତ୍ତାମାନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକ ଉଦ୍ବୋଧନ ଦେଇ କହିଥିଲେ ଯେ, ବିଜୁ ଜନତା ଦଳ ହେଉଛି ଓଡ଼ିଶାର କୋଟି କୋଟି ମା’ଙ୍କର ନିଜର ଦଳ।

ଗତ ୨୭ ବର୍ଷର ରାଜନୈତିକ ଯାତ୍ରାରେ ବିଜେଡି ସର୍ବଦା ମହିଳା ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ୱ ଦେଇ ଆସିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ନବୀନ ପଟ୍ଟନାୟକ କହିଥିଲେ, “ମା’ମାନଙ୍କର ସଶକ୍ତିକରଣ ହିଁ ଓଡ଼ିଶାର ପ୍ରକୃତ ସଶକ୍ତିକରଣ।” ବିଜୁ ମହିଳା ଜନତା ଦଳ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଏକ ଆଦର୍ଶ ସଶକ୍ତିକରଣ ମଡେଲ ଭାବରେ ଗ୍ରହଣ କରି ଗ୍ରାମାଞ୍ଚଳର ମହିଳାମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ଆର୍ଥିକ ବିକାଶ ଦିଗରେ କାର୍ଯ୍ୟ କରିବାରେ ଲାଗିପଡ଼ିଛି ବୋଲି ସେ ଉଲ୍ଲେଖ କରିଥିଲେ।

ଦଳୀୟ ସଭାପତି ପୁନର୍ବାର ମହିଳାମାନଙ୍କ ରୋଜଗାର ବୃଦ୍ଧି ସହିତ ସେମାନଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ମହିଳା ସଶକ୍ତିକରଣକୁ ଏକ ସାମାଜିକ ଆନ୍ଦୋଳନର ରୂପ ଦେବାରେ ବିଜୁ ଜନତା ଦଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ରଖିଥିଲେ। ଦେଶରେ ମହିଳାମାନଙ୍କ ଉପରେ ବଢ଼ି ଚାଲିଥିବା ଅତ୍ୟାଚାର ଘଟଣାରେ ସେ ଗଭୀର କ୍ଷୋଭ ପ୍ରକାଶ କରିବା ସହିତ ମହିଳା ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ଅତ୍ୟାଚାର ବିରୁଦ୍ଧରେ ଲଢ଼େଇକୁ ଆହୁରି ଜୋରଦାର କରିବା ପାଇଁ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ।

ଏହା ସହିତ ଦଳ ବିରୁଦ୍ଧରେ ହେଉଥିବା ମିଥ୍ୟା ପ୍ରଚାରକୁ ପ୍ରତିରୋଧ କରି ମହିଳାମାନଙ୍କୁ ବିକାଶର ମୁଖ୍ୟସ୍ରୋତକୁ ଆଣିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ନବୀନ ପଟ୍ଟନାୟକ ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ, ନବନିଯୁକ୍ତ ଦଳୀୟ କର୍ମକର୍ତ୍ତାମାନେ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କୁ ତାଙ୍କର ମାର୍ଗଦର୍ଶନ ପାଇଁ ଧନ୍ୟବାଦ ଜଣାଇଥିଲେ।