ବାଲେଶ୍ବରରୁ ଆସି ଭୂବନେଶ୍ବରରେ ମାଲ୍ ବିକ୍ରି ବେଳେ ୩ ବ୍ରାଉନସୁଗର ବେପାରୀ ଗିରଫ
ଭୁବନେଶ୍ୱର (ସଂକେତ ଟିଭି): ରାଜଧାନୀରେ ବ୍ରାଉନସୁଗର ବେପାର କରିବାକୁ ଆସିଥିବା ତିନି ଜଣଙ୍କୁ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ (SCU) ଗିରଫ କରିଛି। ବାଲେଶ୍ଵର ଜିଲ୍ଲାରୁ ଆସି ଏଠାରେ ମାଲ ବିକ୍ରି କରିବାର ଯୋଜନା ଥିଲା, ହେଲେ ପୋଲିସର ଚଢ଼ାଉ ପୂର୍ବରୁ ହିଁ ସେମାନଙ୍କ ଯୋଜନା ବିଫଳ ହୋଇଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଝାଡେଶ୍ୱରର ସମୀର ଖାନ ଓରଫ ମୁନା ଓରଫ ମୋହନ (୪୪), ରାଜପୁର ବସ୍ତିର ସେକ୍ ଇର୍ସାଦ୍ ମହମ୍ମଦ ଓରଫ ସୂର୍ଯ୍ୟ (୨୩) ଏବଂ ମୁନାଫ୍ ଖାନ ଓରଫ ମୋନା (୨୨)। ସେମାନଙ୍କ ନିକଟରୁ ପ୍ରାୟ ୩୭୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୩୭ ଲକ୍ଷ ଟଙ୍କା ହେବ।
ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ବିନ ସିଟି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ଏ ସଂପର୍କରେ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କ ଠାରୁ ୨ଟି ବାଇକ, ୪ଟି ମୋବାଇଲ ଏବଂ ୧୬୫୦ ଟଙ୍କା ନଗଦ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ପୋଲିସ ଏକ ମାମଲା (ନଂ. ୩/୨୦୨୬) ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିବା ପରେ ଜେଲକୁ ପଠାଇ ଦିଆଯାଇଛି। ସେମାନଙ୍କର ପୂର୍ବ ଆପରାଧିକ ଇତିହାସ ବିଷୟରେ ପୋଲିସ ତଦନ୍ତ ଜାରି ରଖିଛି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗିରଫ ତିନି ଅଭିଯୁକ୍ତ ଦୁଇଟି ବାଇକରେ ଯୋଗେ ଜଳେଶ୍ବରରୁ ଭୁବନେଶ୍ୱର ଆସି ନିର୍ଦ୍ଦିଷ୍ଟ ଗ୍ରାହକଙ୍କୁ ବ୍ରାଉନସୁଗର ଯୋଗାଇବାକୁ ଯୋଜନା କରିଥିଲେ। ଏସଂପର୍କରେ ପୂର୍ବ ସୂଚନା ପାଇ SCU ଟିମ୍ ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ଦୁରଦର୍ଶନ କେନ୍ଦ୍ର ନିକଟସ୍ଥ ଶ୍ୟାମ ରୋଡ଼ରେ ଚଢ଼ାଉ କରି ସେମାନଙ୍କୁ କାବୁ କରିଥିଲା।
ପୋଲିସ କମିଶନର କହିଛନ୍ତି ଯେ, ନିଶା ବିରୋଧରେ କମିଶନରେଟ ପୋଲିସ ‘ଶୂନ୍ୟ ସହନଶୀଳତା’ ନୀତି ଅନୁସରଣ କରୁଛି। ପୂର୍ବରୁ ନଭେମ୍ବର ୧୬ ତାରିଖରେ ଲିଙ୍ଗରାଜ ଷ୍ଟେସନ ନିକଟରେ ଗିରଫ ହୋଇଥିବା ଅଟୋ ଚାଳକ ସେକ୍ ଆକବରଠାରୁ ମିଳିଥିବା ସୂତ୍ରରୁ ଏହି ତିନି ଜଣଙ୍କ ସମ୍ପର୍କରେ ଜଣାପଡ଼ିଥିଲା। ସେହି ମାମଲା (ନଂ. ୧୧/୨୦୨୫)ର ତଦନ୍ତ କ୍ରମେ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା। ବ୍ରାଉନସୁଗର ନେଟୱାର୍କର ସମସ୍ତ ସଦସ୍ୟଙ୍କୁ ଧରିବା ସହିତ ଯୁବପିଢ଼ିଙ୍କୁ ସଚେତନ କରିବା ପାଇଁ ଦୁଇ ଦିଗରେ ଅଭିଯାନ ଚଲାଯାଉଥିବା କମିଶନର ଶ୍ରୀ ସିଂ ସୂଚନା ଦେଇଛନ୍ତି।
