ରାଜ୍ୟରେ ସକ୍ରିୟ ୪୦ ମାଓବାଦୀ, ୬ ଜିଲ୍ଲାରେ ଛୋଟ ଛୋଟ ଦଳରେ ବିଭକ୍ତ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ମାଓବାଦୀ ସମସ୍ୟାକୁ ନେଇ ଆଜି ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୂଚନା ଅନୁଯାୟୀ, ବର୍ତ୍ତମାନ ରାଜ୍ୟରେ ପ୍ରାୟ ୪୦ ଜଣ ସକ୍ରିୟ ମାଓବାଦୀ ରହିଛନ୍ତି।
ଏହି ମାଓବାଦୀମାନେ ମୁଖ୍ୟତଃ ୬ଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଛୋଟ ଛୋଟ ଦଳରେ ବିଭକ୍ତ ହୋଇ କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏହି ଜିଲ୍ଲାଗୁଡ଼ିକ ହେଲା: କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ଏବଂ ବରଗଡ଼।
ରାଜ୍ୟରେ ମାଓବାଦୀ ପରିସ୍ଥିତିରେ କ୍ରମାଗତ ଉନ୍ନତି ଘଟିଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସୁରକ୍ଷା ସମ୍ବନ୍ଧୀୟ ଖର୍ଚ୍ଚ ଯୋଜନା ଅନୁଯାୟୀ ବର୍ତ୍ତମାନ କେବଳ କନ୍ଧମାଳ ଜିଲ୍ଲାକୁ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ଭାବରେ ଚିହ୍ନଟ କରାଯାଇଛି।
ଅନ୍ୟ ଆଠୋଟି ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ବୌଦ୍ଧ ଏବଂ ବଲାଙ୍ଗୀରକୁ ‘ଲିଗାସୀ’ ଏବଂ ‘ଥ୍ରଷ୍ଟ’ ଜିଲ୍ଲା ଭାବରେ ଶ୍ରେଣୀଭୁକ୍ତ କରାଯାଇଛି। ଅର୍ଥାତ୍, ଏହି ଜିଲ୍ଲାଗୁଡ଼ିକରେ ମାଓବାଦୀ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ସେଠାରେ ସୁରକ୍ଷା ବ୍ୟବସ୍ଥା ଜାରି ରହିଛି।
