ଚାଷୀ ସମାବେଶରେ ନବୀନଙ୍କ ରଣହୁଙ୍କାର: ‘ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ହଜାଇ ଦେବୁ’
ଭୁବନେଶ୍ୱର(ସଂକେତ ଟିଭି): ଆଜି ଆୟୋଜିତ ଚାଷୀ ସୁରକ୍ଷା ସମାବେଶରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିରୋଧୀ ବିଜେପି ସରକାରଙ୍କୁ ଘୋର ସମାଲୋଚନା କରିଛନ୍ତି। ଏହି ସମାବେଶରେ ନବୀନ ବିଜେପି ସରକାରଙ୍କୁ ରଣହୁଙ୍କାର ଦେଇ କହିଛନ୍ତି ଯେ ସେମାନେ କେବଳ ବଡ଼ ବଡ଼ କଥା କହୁଛନ୍ତି, କିନ୍ତୁ କାମରେ କିଛି କରୁନାହାନ୍ତି।
ନବୀନ କହିଛନ୍ତି, “ନିର୍ବାଚନ ସମୟରେ ବହୁତ ବଡ଼ ବଡ଼ ପ୍ରତିଶ୍ରୁତି ଦିଆଯାଇଥିଲା, କିନ୍ତୁ ଦୁଇ ବର୍ଷ ପୂରଣ ହେବାକୁ ବସିଲାଣି, ଏ ପର୍ଯ୍ୟନ୍ତ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରିନାହିଁ। ଏହି ସରକାର କେବଳ ‘ଜୟ କିଷାନ’ର ସ୍ଲୋଗାନ ଦେଉଛନ୍ତି, କିନ୍ତୁ ପ୍ରକୃତ କାର୍ଯ୍ୟରେ ତାହା ‘ଭାଗୋ କିଷାନ’ରେ ପରିଣତ ହୋଇଛି।” ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର କାହାଣୀରେ ଚଳନ୍ତି ନାହିଁ, ଠୋସ୍ କାମ ଦରକାର। ଲୋକେ ନେତାଙ୍କ ପ୍ରବଚନ ନୁହେଁ, ପ୍ରକୃତ ସେବା ଚାହାଁନ୍ତି।
ଚାଷୀଙ୍କ ସମସ୍ୟା ସମାଧାନ ନକଲେ ବିଜେଡି ସରକାରଙ୍କ ନିଦ ହଜାଇଦେବ ବୋଲି ଚେତାବନୀ ଦେଇ ନବୀନ କହିଛନ୍ତି, “ବିଜେଡି ସରକାର ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍, କାଳିଆ ଯୋଜନା, ଋଣ ସୁବିଧା ଓ ଜଳସେଚନ ସୁବିଧା ଯୋଗାଇ ଦେଇଥିଲା। କିନ୍ତୁ ଏହି ଡବଲ ଇଞ୍ଜିନ୍ ସରକାର ଚାଷୀଙ୍କ ପାଇଁ କଣ କରିଛନ୍ତି? ଚାଷୀଙ୍କୁ ସମୟରେ ସାର ମିଳୁନାହିଁ, ଧାନ କିଣା ହେଉନାହିଁ, କଟନୀ ଛଟନୀ ବଢ଼ିଚାଲିଛି ଏବଂ ଚାଷୀ ଠିକ୍ ସମୟରେ ପଇସା ପାଉନାହାନ୍ତି। ଅଭିଯୋଗ କଲେ ସରକାର ଚାଷୀଙ୍କୁ ମିଛୁଆ ବୋଲି କହୁଛନ୍ତି।”
ସେ ପୁନର୍ବାର ସରକାରଙ୍କୁ କରିଥିବା ପ୍ରସ୍ତାବ ବିଷୟରେ ଉଲ୍ଲେଖ କରି କହିଛନ୍ତି, “ମୁଁ ନିର୍ବାଚନୀ ପ୍ରତିଶ୍ରୁତି ପାଳନ ପାଇଁ ଚିଠି ଲେଖି ଅନୁରୋଧ କରିଥିଲି। କଟନୀ ଛଟନୀ ବନ୍ଦ ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ, ମିଲର ଓ ସରକାରୀ ଅଧିକାରୀଙ୍କ ନେକ୍ସସ୍ ଭାଙ୍ଗିବା, ଇନପୁଟ୍ ସବସିଡି ପାଇଁ ୧୫୦ କ୍ୱିଣ୍ଟାଲ ବିକ୍ରି ସୀମା ଉଠାଇଦେବା, ୪୮ ଘଣ୍ଟା ମଧ୍ୟରେ ଡିବିଟି ଜରିଆରେ ଚାଷୀଙ୍କୁ ଟଙ୍କା ପ୍ରଦାନ ଏବଂ ଖୋଲାରେ ପଡ଼ିଥିବା ଧାନ ୭୨ ଘଣ୍ଟାରେ କିଣିବା ଭଳି ପ୍ରସ୍ତାବ ଦେଇଥିଲି। ଦୁଃଖର ବିଷୟ, ୧୫ ଦିନ ବିତିଗଲାଣି କିନ୍ତୁ କିଛି ହୋଇନାହିଁ।”
ଶେଷରେ ସେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ନବୀନ କହିଛନ୍ତି, “ରାଜ୍ୟରେ କେହି ନିରାପଦ ନୁହଁନ୍ତି। ଚାଷୀ ତାର ହକ୍ ପାଉନାହାନ୍ତି, ମହିଳାମାନେ ସୁରକ୍ଷା ପାଉନାହାନ୍ତି, ଯୁବକମାନେ ରୋଜଗାର ପାଉନାହାନ୍ତି। ଲୋକଙ୍କୁ ସେବା ଦରକାର, ନେତାଙ୍କ ପ୍ରବଚନ ନୁହେଁ। ବିଜୁ ଜନତା ଦଳ ଚାଷୀଙ୍କ ହକ୍ ପାଇଁ ଲଢ଼େଇ ଜାରି ରଖିବ ଏବଂ ସରକାରଙ୍କର ଏହି କୁମ୍ଭକର୍ଣ୍ଣ ନିଦ ହଜାଇ ଦେବ।”
