ଖଣି ଅଧିକାରୀଙ୍କ ଘରୁ ଭିଜିଲାନ୍ସକୁ ମିଳିଲା ନଗଦ ୪ କୋଟି ଟଙ୍କା
ଭୁବନେଶ୍ବର(ସଂକେତ ଟିଭି): ଓଡ଼ିଶା ଭିଜିଲାନ୍ସ ବିଭାଗର ଇତିହାସରେ ଏହା ହେଉଛି ସବୁଠାରୁ ବଡ଼ ରେଡ୍ । ଖଣି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ଘରୁ ଭିଜିଲାନ୍ସ ୪ କୋଟି ଟଙ୍କାରୁ ଅଧିକ ନଗଦ ଟଙ୍କା ଜବତ କରିଛି। ଗତକାଲି ରାତିରେ ଭୁବନେଶ୍ୱରସ୍ଥିତ ଶ୍ରୀବିହାରସ୍ଥିତ ତାଙ୍କ ବାସଭବନରେ ଚଢ଼ାଉ ବେଳେ ଟ୍ରଲି ବ୍ୟାଗ ଓ ଆଲମିରାରେ ଲୁଚାଇ ରଖାଯାଇଥିବା ଏହି ନଗଦ ଟଙ୍କା ଠାବ କରାଯାଇଛି । ଏତେ ପରିମାଣର ଟଙ୍କା ଦେଖି ଭିଜିଲାନ୍ସ ଟିମ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା।
ସୂଚନା ଅନୁଯାୟୀ, କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ଗତକାଲି ଜଣେ କୋଇଲା ବ୍ୟବସାୟୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଧରିଥିଲା। ଏହାପରେ ତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତିର ତଦନ୍ତ ଆରମ୍ଭ ହୋଇଥିଲା।
ଭିଜିଲାନ୍ସ ପକ୍ଷରୁ ତାଙ୍କ ଭୁବନେଶ୍ୱରସ୍ଥିତ ଫ୍ଲାଟ, କଟକସ୍ଥିତ କାର୍ଯ୍ୟାଳୟ, ଭଦ୍ରକସ୍ଥିତ ପୈତୃକ ଘର ସମେତ ଏକାଧିକ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ରାଜଧାନୀରେ ତାଙ୍କ ଫ୍ଲାଟରୁ ୪ କୋଟି ଟଙ୍କାରୁ ଅଧିକ ନଗଦ ମିଳିଥିବା ବେଳେ ତାଙ୍କ କାର୍ଯ୍ୟାଳୟ କକ୍ଷରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଛି। ଏହାସହ ପ୍ରାୟ ୧୩୦ ଗ୍ରାମ୍ ସୁନା ଓ ଭୁବନେଶ୍ୱରର ପାହାଳ ଅଞ୍ଚଳରେ ପ୍ରାୟ ୨୪୦୦ ବର୍ଗଫୁଟରେ ନିର୍ମିତ ଏକ ଦୁଇମହଲା ବିଶିଷ୍ଟ ବିଳାସମୟ କୋଠା ଠାବ ହୋଇଛି।
ଉଲ୍ଲେଖଯୋଗ୍ୟ, ନଗଦ ଟଙ୍କା ଜବତ କ୍ଷେତ୍ରରେ ଏହା ଓଡ଼ିଶା ଭିଜିଲାନ୍ସ ଇତିହାସରେ ସର୍ବାଧିକ। ନଗଦ ଟଙ୍କାର ସଠିକ୍ ପରିମାଣ ଜାଣିବା ପାଇଁ ଗଣନା ଜାରି ରହିଛି। ଅଧିକ ତଦନ୍ତ ପାଇଁ ଭିଜିଲାନ୍ସ ଟିମ୍ ଅଧୀକାରୀଙ୍କ ଅନ୍ୟାନ୍ୟ ସମ୍ପତ୍ତି ଓ ବ୍ୟାଙ୍କ ଖାତା ସମ୍ପର୍କରେ ଖୋଳତାଡ଼ ଜାରି ରଖିଛି।
