ଶ୍ରୀ ହରି ବଳଦେବଙ୍କ ପାଇଁ ଜାରି ହେଲା କ୍ୟୁଆର୍ କୋଡ଼, ୟୁପିଆଇ ଜରିଆରେ କରିହେବ ଦାନ
ବାରିପଦା(ସଂକେତ ଟିଭି): ଡିଜିଟାଲ ଭାରତର ଏବେକାର ଯୁଗରେ କ୍ୟାସଲେସ ଦେଣନେଣର ବ୍ୟବସ୍ଥା ସର୍ବତ୍ର ପ୍ରଚଳିତ। ମୋଚିଠାରୁ ଆରମ୍ଭ କରି ବଡ଼ ମଲ୍ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଡିଜିଟାଲ ପେମେଣ୍ଟର କ୍ୟୁଆର୍ କୋଡ଼ ରହିଛି। ତେବେ ସ୍ଵୟଂ ଭଗବାନ କାହିଁକି ଏହି ସୁବିଧାଠାରୁ ବଞ୍ଚିତ ହେବେ? ଏହି ଭାବନାରୁ ଏବେ ଠାକୁରମାନେ ମଧ୍ୟ ୟୁପିଆଇ (UPI) ଜରିଆରେ ଦାନ ଓ ଦକ୍ଷିଣା ଗ୍ରହଣ କରୁଛନ୍ତି।
ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ଶ୍ରୀ ହରି ବଳଦେବ ଜୀଉ ହେଉଛନ୍ତି ଏହାର ଏକ ଜ୍ୱଳନ୍ତ ଉଦାହରଣ। ମହାପ୍ରଭୁଙ୍କ ନାମରେ ଜିଲ୍ଲାସାରା ଓ ଜିଲ୍ଲା ବାହାରେ ୪୪ ହଜାର (୪୪,୦୦୦) ଏକରର ସ୍ଥାବର ସମ୍ପତ୍ତି ସହିତ କିଲୋ କିଲୋ ସୁନା ଓ ରୂପା ଗହଣା ରହିଛି। ଏତେ ସମ୍ପତ୍ତିର ମାଲିକ ହୋଇଥିଲେ ମଧ୍ୟ ଦୀର୍ଘଦିନ ଧରି ସ୍ଥାୟୀ ଦେବୋତ୍ତର ଅଧିକାରୀଙ୍କ ଅଭାବ ଯୋଗୁଁ ପ୍ରଭୁଙ୍କ ସମ୍ପତ୍ତିରେ ଜବରଦଖଲ ଜାରି ରହିଛି। ଏହାର ପ୍ରତ୍ୟକ୍ଷ ପ୍ରଭାବ ପଡ଼ିଛି ମନ୍ଦିରର ଆର୍ଥିକ ସ୍ଥିତି ଉପରେ। ଆର୍ଥିକ ଅନାଟନ ଭିତରେ ମହାପ୍ରଭୁଙ୍କ ନିତ୍ୟ ପୂଜା ପର୍ବ ପାଳନ କରାଯାଉଥିବାବେଳେ ସରକାରୀ ସହାୟତାରେ ବିଳମ୍ବ ହେଉଥିବାରୁ ଗତବର୍ଷ ରଥଯାତ୍ରାରେ ବିଭିନ୍ନ ସମସ୍ୟା ଦେଖାଦେଇଥିଲା।
ଏହି ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଡ. ଦୟାସିନ୍ଧୁ ପରିଡ଼ା ଏବଂ ମନ୍ଦିର କମିଟି ସଦସ୍ୟମାନେ ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ଜନସାଧାରଣଙ୍କ ପାଖରୁ ଆର୍ଥିକ ସହାୟତା ସଂଗ୍ରହ କରି ରଥଯାତ୍ରା କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଚିନ୍ତା କରାଗଲା। ଏହି ଲକ୍ଷ୍ୟକୁ ଆଗରେ ରଖି ଜଗନ୍ନାଥ ମନ୍ଦିର, ଜିଲ୍ଲାର ସମସ୍ତ ସରକାରୀ ଦପ୍ତର ଏବଂ ସର୍ବସାଧାରଣ ସ୍ଥାନରେ ମହାପ୍ରଭୁଙ୍କ ବ୍ୟାଙ୍କ୍ ଖାତାର କ୍ୟୁଆର କୋଡ୍ (QR Code) ଲଗାଯାଇଛି।
ଏହି ଅଭିନବ ପଦକ୍ଷେପ ସାଧାରଣ ଲୋକଙ୍କ ମନକୁ ଛୁଇଁଛି। ଜଗନ୍ନାଥ ପ୍ରେମୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା, ସମସ୍ତେ ମନ୍ଦିରକୁ ନଯାଇ ମଧ୍ୟ ମହାପ୍ରଭୁ ହରି ବଳଦେବଙ୍କ ପାଇଁ ସହଜରେ ଦାନ କରିପାରୁଛନ୍ତି। “ପୂର୍ବ ସମୟ ତୁଳନାରେ ଏହି ଦାନ ପ୍ରକ୍ରିୟା ଅଧିକ ଲୋକଙ୍କୁ ପୁଣ୍ୟ ଅର୍ଜନ କରିବାରେ ସହାୟକ ହେଉଛି,” ବୋଲି ମତ ପ୍ରକାଶ କରିଛନ୍ତି ଉପଜିଲ୍ଲାପାଳ ଡ. ପରିଡ଼ା। ମୁକ୍ତ ହସ୍ତରେ ଦାନ ଦେବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।
