FeaturedGeneralLatest

‘ଦ କେରଳ ଷ୍ଟୋରୀ-୨’ ରିଲିଜ୍ ଉପରେ ହାଇକୋର୍ଟଙ୍କ ରୋକ

ନୂଆଦିଲ୍ଲୀ (ସଂକେତ ଟିଭି): ବିବାଦୀୟ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରୀ-୨’ (The Kerala Story 2) ରିଲିଜ୍ କୁ ନେଇ କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ଶୁକ୍ରବାର (ଫେବୃଆରୀ ୨୭) ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଥିବା ଏହି ସିନେମା ଉପରେ ଠିକ୍ ରିଲିଜ୍ ପୂର୍ବରୁ କୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଦେଇଛନ୍ତି।

ଏହି ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍ ବେଚୁ କୁରିଆନ୍ ଥୋମାସ୍ କହିଛନ୍ତି ଯେ, ଚଳଚ୍ଚିତ୍ର ନିର୍ମାତାମାନେ କୋର୍ଟଙ୍କୁ ସିନେମାଟି ଦେଖାଇବାକୁ ଆଗ୍ରହୀ ନଥିଲେ। ଚଳଚ୍ଚିତ୍ର ବିରୋଧରେ ଦାଏର ହୋଇଥିବା ଏକ ଆବେଦନର ଶୁଣାଣି ସମୟରେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ନିର୍ମାତାଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଉପରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

‘ଦ କେରଳ ଷ୍ଟୋରୀ-୨’ରେ କେରଳ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଧର୍ମ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ କାହାଣୀ ବୁଣାଯାଇଥିବା କୁହାଯାଉଛି। ଏହାକୁ ନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ତୀବ୍ର ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଏହି ଚଳଚ୍ଚିତ୍ର ଧର୍ମନିରପେକ୍ଷତା ପାଇଁ ବିପଦ ସୃଷ୍ଟି କରୁଛି ଏବଂ କେରଳ ବିରୋଧରେ ମିଥ୍ୟା ପ୍ରଚାର କରାଯାଉଛି। ରାଜ୍ୟର ସାମ୍ପ୍ରଦାୟିକ ସଦ୍ଭାବନାକୁ ନଷ୍ଟ କରିବା ପାଇଁ ଏଭଳି ପ୍ରୟାସ କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିବାଦ ଭିତରେ ପ୍ରଯୋଜକ ବିପୁଲ ଅମୃତଲାଲ ଶାହା ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ ଏହି ଚଳଚ୍ଚିତ୍ର କେରଳ ରାଜ୍ୟ ବିରୋଧରେ ନୁହେଁ। କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣପତ୍ର ବୋର୍ଡ (CBFC) ଗତ ସପ୍ତାହରେ ଏହି ସିନେମାକୁ ‘U/A’ ସାର୍ଟିଫିକେଟ୍ ପ୍ରଦାନ କରିଥିଲା। ଏହି ଚଳଚ୍ଚିତ୍ରରେ ଉଲକା ଗୁପ୍ତା, ଅଦିତି ଭାଟିଆ ଏବଂ ଐଶ୍ୱର୍ଯ୍ୟା ଓଝା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।