୨୮ଟି ନୂତନ ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମାଝୀ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ଜରୁରୀକାଳୀନ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ ଏବଂ ଦୃତତର କରିବା ଦିଗରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି (ଶନିବାର) ୨୮ଟି ନୂତନ ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି, ଯାହା ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି।
ରାଜ୍ୟ ସରକାର ମୋଟ ୪୨୮ଟି ନୂଆ ଆମ୍ବୁଲାନ୍ସ ଯୋଡ଼ିବାକୁ ଲକ୍ଷ୍ୟ ରଖିଥିଲେ। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪୦୦ଟି ଆମ୍ବୁଲାନ୍ସର ଶୁଭାରମ୍ଭ ହୋଇସାରିଥିବା ବେଳେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ୨୮ଟି ଆମ୍ବୁଲାନ୍ସକୁ ମୁଖ୍ୟମନ୍ତ୍ରୀ ଫିତା କାଟି ଉଦ୍ଘାଟନ କରିଛନ୍ତି। ପ୍ରତି ଆମ୍ବୁଲାନ୍ସ ପିଛା ୨୫.୭୭ ଲକ୍ଷ ଟଙ୍କା ହିସାବରେ ୪୨୮ଟି ଆମ୍ବୁଲାନ୍ସ ପାଇଁ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ପ୍ରାୟ ୧୧୧ କୋଟି ଟଙ୍କା ବିନିଯୋଗ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ଯେଉଁ ରୋଗୀମାନଙ୍କୁ ଆମ୍ବୁଲାନ୍ସ ସେବା ଆବଶ୍ୟକ, ସେମାନଙ୍କ ପାଇଁ ଏହି ଆମ୍ବୁଲାନ୍ସ ସେବା ଶୁଭାରମ୍ଭ କରାଯାଇଛି। ରାଜ୍ୟ ସରକାରଙ୍କ ନିଜସ୍ବ ପାଣ୍ଠିରୁ ସମସ୍ତ ଖର୍ଚ୍ଚ କରାଯାଇଛି। ଲୋକମାନେ କିଭଳି ଉନ୍ନତମାନର ଚିକିତ୍ସା ସେବା ପାଇପାରିବେ, ସେନେଇ ସମସ୍ତ ବ୍ୟବସ୍ଥା କରାଯାଉଛି।”
ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାରେ ମୋଟ ୮୬୬ଟି ଆମ୍ବୁଲାନ୍ସ ଜନସାଧାରଣଙ୍କ ସେବାରେ ନିୟୋଜିତ ରହିଛି। ସେଥିମଧ୍ୟରୁ ୪୪୯ଟି ବେସିକ୍ ଲାଇଫ୍ ସପୋର୍ଟ (ବି.ଏଲ୍.ଏସ) ଆମ୍ବୁଲାନ୍ସ ଏବଂ ୪୧୧ଟି ଅତ୍ୟାଧୁନିକ ଲାଇଫ୍ ସପୋର୍ଟ (ଏ.ଏଲ୍.ଏସ) ଆମ୍ବୁଲାନ୍ସ ରହିଛି। ଏହାସହ, ରାଜ୍ୟରେ ଗର୍ଭବତୀ ମହିଳା ଓ ଅସୁସ୍ଥ ଶିଶୁମାନଙ୍କ ସୁରକ୍ଷିତ ପରିବହନ ପାଇଁ “ଜନନୀ ଏକ୍ସପ୍ରେସ୍” ଯୋଜନା ଅଧୀନରେ ୫୦୦ଟି ଆମ୍ବୁଲାନ୍ସ ମଧ୍ୟ ନିୟୋଜିତ ରହିଛି। ଏହି ସମସ୍ତ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ସମ୍ପୂର୍ଣ୍ଣ ଦେୟମୁକ୍ତ ଭାବେ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଛି।
ବର୍ତ୍ତମାନ ୧୦୮ ଆମ୍ବୁଲାନ୍ସ ଓ ଜନନୀ ଏକ୍ସପ୍ରେସ ସେବା ମାଧ୍ୟମରେ ପ୍ରତିଦିନ ହାରାହାରି ୫ ହଜାରରୁ ଅଧିକ ରୋଗୀଙ୍କୁ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇ ଚିକିତ୍ସା ସୁବିଧା ପ୍ରଦାନ କରାଯାଉଛି। ଏହି ସବୁ ନୂତନ ଆମ୍ବୁଲାନ୍ସ ରାଜ୍ୟରେ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାକୁ ଅଧିକ ଦୃତତର କରିବ। ଏହା ସହିତ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ରୋଗୀଙ୍କ ସହାୟତା ପାଇଁ ପହଞ୍ଚିପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଶା ପ୍ରକାଶ କରିଛନ୍ତି।
