୧୨ ଜୁଲାଇରେ ଓଡ଼ିଶା ଫେରିବେ ନବୀନ
ଭୁବନେଶ୍ବର (ସଂକେତ ଟିଭି): ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସ୍ଵାସ୍ଥ୍ୟଜନିତ ସମସ୍ୟା ପରେ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ। ସେ ଆସନ୍ତା ୧୨ ଜୁଲାଇରେ ଓଡ଼ିଶା ଫେରିବାକୁ ଯାଉଛନ୍ତି। ଭୁବନେଶ୍ଵରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସେ ଅପରାହ୍ନ ୧ଟାରେ ପହଞ୍ଚିବେ ବୋଲି ତାଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର ଗଣମାଧ୍ୟମକୁ ଜଣାଇଛନ୍ତି।
ନବୀନ ପଟ୍ଟନାୟକଙ୍କର ସର୍ଭିକାଲ ଆର୍ଥ୍ରାଇଟିସ୍ ସମସ୍ୟା ଥିବାରୁ ଗତ ମାସ ୨୦ ଜୁନରେ ମୁମ୍ବାଇ ଯାଇଥିଲେ। କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଅସ୍ତ୍ରୋପଚାର ପରେ ସେ ସୁସ୍ଥ ହୋଇ ୭ ଜୁଲାଇରେ ଡିସ୍ଚାର୍ଜ ହୋଇଛନ୍ତି। ଚିକିତ୍ସା ସମୟରେ ଡାକ୍ତର, ନର୍ସ ଏବଂ ଅନ୍ୟ ସହକର୍ମୀଙ୍କ ସେବା ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଓଡ଼ିଶାବାସୀ, ଶୁଭେଚ୍ଛୁ ଏବଂ ଅନ୍ୟ ସମସ୍ତଙ୍କ ଶୁଭେଚ୍ଛା ପାଇଁ ସେ କୃତଜ୍ଞତା ପ୍ରକାଶ କରିଛନ୍ତି।
ମୁମ୍ବାଇ ଯିବା ପୂର୍ବରୁ ସେ ସୋସିଆଲ ମିଡ଼ିଆରେ ଟୁଇଟ୍ କରି ନିଜର ସ୍ଵାସ୍ଥ୍ୟ ସମ୍ପର୍କରେ ଜଣାଇଥିଲେ। ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଦ୍ରୁତ ସୁସ୍ଥତା କାମନା କରିଥିଲେ। ନବୀନଙ୍କ ସମର୍ଥକମାନେ ମଧ୍ୟ ପ୍ରାର୍ଥନା ଏବଂ ଶୁଭେଚ୍ଛା ଜଣାଇଥିଲେ। ବର୍ତ୍ତମାନ ସୁସ୍ଥ ହୋଇ ଫେରିବାରେ ସମସ୍ତେ ଆଶା କରୁଛନ୍ତି।
