ବାଲେଶ୍ୱର ଛାତ୍ରୀ ଆତ୍ମଦାହ ଘଟଣା: ବିଜେପିକୁ ଟାର୍ଗେଟ କଲେ ମମତା
ନୂଆଦିଲ୍ଲୀ (ସଂକେତ ଟିଭି): ବାଲେଶ୍ୱରର ଫକିରମୋହନ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ନେଇ ଜାତୀୟ ସ୍ତରରେ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗର ଟିଏମ୍ସି ସରକାର ଏହି ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ାଭାବେ ନିନ୍ଦା କରିଛନ୍ତି। ଏନେଇ ଦଳ ଏକ୍ସ (ପୂର୍ବତନ ଟ୍ୱିଟର୍)ରେ ପୋଷ୍ଟ କରି ଦାବି କରିଛି ଯେ, ବିଜେପି ଶାସିତ ରାଜ୍ୟରେ ଏଭଳି ଘଟଣା ବୃଦ୍ଧି ପାଇଛି। ଘଟଣାରେ ଜଣେ କଲେଜ୍ ଏଚଓଡି ଛାତ୍ରୀଙ୍କୁ ଯୌନ ନିର୍ଯାତନା ଓ ଭବିଷ୍ୟତ ନଷ୍ଟ କରିବାର ଧମକ ଦେଇଥିବାରୁ ସେ ନିଜକୁ ଜାଳିବାକୁ ବାଧ୍ୟ ହୋଇଥିଲେ। ଛାତ୍ରୀ ବର୍ତ୍ତମାନ ୯୫% ଜଳିଯାଇ ଜୀବନ ସଂଘର୍ଷରେ ରହିଛନ୍ତି। ତାଙ୍କୁ ବଞ୍ଚାଇବାକୁ ଯାଇ ଜଣେ ସହପାଠୀ ମଧ୍ୟ ୭୦% ଜଳିଯାଇଛନ୍ତି। ଏନେଇ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୀରବତାକୁ ଲଜ୍ଜାଜନକ ବୋଲି କହିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାକୁ ଗୁରୁତ୍ୱ ସହିତ ନେଇ ରବିବାର ଭୁବନେଶ୍ୱର ଏମ୍ସରେ ପୀଡିତା ଛାତ୍ରୀଙ୍କୁ ଭେଟିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଡାକ୍ତରମାନଙ୍କଠାରୁ ତଥ୍ୟ ନେଇଛନ୍ତି। ପୀଡିତାଙ୍କୁ ଦିଲ୍ଲୀ ଏମ୍ସରେ ଉନ୍ନତ ଚିକିତ୍ସା ପ୍ରଦାନ କରାଯିବ ବୋଲି ସେ ଜଣାଇଛନ୍ତି। ଏବେ ଛାତ୍ରୀଙ୍କ ଅବସ୍ଥା ଅସ୍ଥିର ଥିବାରୁ ଏୟାରଲିଫ୍ଟ କରାଯାଇପାରିବ ନାହିଁ। ଯଦି ତାଙ୍କର ସ୍ଥିତି ସ୍ଥିର ହୁଏ, ତେବେ ଦିଲ୍ଲୀ ପଠାଯିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଘଟଣାରେ ତଦନ୍ତ ଆରମ୍ଭ ହୋଇଛି ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଘୋଷଣା କରିଛନ୍ତି।
କଂଗ୍ରେସ ଦଳ ମଧ୍ୟ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛି। ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରଶ୍ନ ଉଠାଇଛନ୍ତି ଯେ, ଛାତ୍ରୀ ନିଜ ଅଭିଯୋଗ ଅନେକଙ୍କୁ ଜଣାଇଥିଲେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ମହିଳା କଂଗ୍ରେସର ଏକ ଦଳ ସୋମବାର ବାଲେଶ୍ୱର ଯାଇ ଘଟଣାର ତଥ୍ୟ ତଦାରଖ କରିବେ ବୋଲି ଜଣାଯାଇଛି। ସେମାନେ ଦୋଷୀ ଶିକ୍ଷକଙ୍କୁ ଚାକିରିରୁ ବରଖାସ୍ତ କରାଯିବାକୁ ଦାବି କରିଛନ୍ତି।
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଘଟଣାରେ ଦୁଇଜଣଙ୍କୁ ନିଲମ୍ବନ କରାଯାଇଥିବା ଏବଂ ଜଣକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଇଛନ୍ତି। ତଦନ୍ତ ପାଇଁ ତିନିଜଣିଆ ଉଚ୍ଚସ୍ତରୀୟ ଦଳ ବାଲେଶ୍ୱର ପଠାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଏମ୍ସରେ ଛାତ୍ରୀଙ୍କୁ ଭେଟି ଚିକିତ୍ସା ପ୍ରଗତି ବିଷୟରେ ତଥ୍ୟ ନେଇଛନ୍ତି। ପୀଡିତା ଛାତ୍ରୀଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଭେଟିବେ ବୋଲି ମନ୍ତ୍ରୀ କହିଛନ୍ତି।
