ବିଜେପି ବ୍ୟବସ୍ଥା ଦ୍ୱାରା ସୌମ୍ୟାଶ୍ରୀଙ୍କ ହତ୍ୟା କରାଯାଇଛି : ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ (ସଂକେତ ଟିଭି): ବାଲେଶ୍ବର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଲୋକସଭାର ବିରୋଧୀ ଦଳନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ତୀବ୍ର କ୍ଷୋଭ ପ୍ରକାଶ କରିଛନ୍ତି। ସୌମ୍ୟାଶ୍ରୀ ଆତ୍ମହତ୍ୟା ଉଦ୍ୟମ ପରେ ଭୁବନେଶ୍ବର ଏମ୍ସରେ ଚିକିତ୍ସା ଚାଲିଥିବାବେଳେ ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଥିଲା।
ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଲେଖିଛନ୍ତି, “ଓଡ଼ିଶାରେ ନ୍ୟାୟ ପାଇଁ ଲଢୁଥିବା ଏହି ଝିଅଟିର ମୃତ୍ୟୁ ବିଜେପି ବ୍ୟବସ୍ଥା ଦ୍ୱାରା ସିଧାସଳଖ ହତ୍ୟା। ସେ ଯୌନ ଶୋଷଣ ବିରୋଧରେ ସ୍ୱର ଉଠାଇଥିଲେ, ମାତ୍ର ନ୍ୟାୟ ପରିବର୍ତ୍ତେ ତାଙ୍କୁ ଧମକ, ହଇରାଣ ଓ ଅପମାନିତ କରାଯାଇଥିଲା। ଯାହାଙ୍କୁ ସୁରକ୍ଷା ଦେବା କଥା, ସେମାନେ ତାଙ୍କୁ ଭାଙ୍ଗିଦେଲେ।”
ସେ ଆହୁରି କହିଛନ୍ତି, “ଏହା ଆତ୍ମହତ୍ୟା ନୁହେଁ, ବରଂ ଏକ ସଂଗଠିତ ହତ୍ୟା। ମୋଦୀଜୀ, ଓଡ଼ିଶା ହେଉ କି ମଣିପୁର, ଦେଶର ଝିଅମାନେ ଜଳୁଛନ୍ତି, ଭାଙ୍ଗୁଛନ୍ତି, ମରୁଛନ୍ତି। ଆପଣ କାହିଁକି ଚୁପ୍ଚାପ୍ ଅଛନ୍ତି? ଦେଶ ଆପଣଙ୍କ ନୀରବତା ନୁହେଁ, ଉତ୍ତର ଚାହେଁ।”
