FeaturedLatestNewsPolitics

ବିଜେଡି କର୍ମୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ, ବହୁ ନେତା ଆହତ, ୧୦୦ରୁ ଅଧିକ ଗିରଫ

ଭୁବନେଶ୍ବର (ସଂକେତ ଟିଭି): ବାଲେଶ୍ୱର ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟଶ୍ରୀ ବିଶିର ଆତ୍ମହତ୍ୟା ଘଟଣାକୁ ନେଇ ବିଜୁ ଜନତା ଦଳ (ବିଜେଡି) ଆଜି ତୀବ୍ର ପ୍ରତିବାଦ ପ୍ରଦର୍ଶନ କରିଛି । ଘଟଣାର ସ୍ୱତନ୍ତ୍ର ତଦନ୍ତ ଓ ପୀଡ଼ିତ ପରିବାରକୁ ୨ କୋଟି ଟଙ୍କା ଆର୍ଥିକ ସହାୟତା ଦାବି କରି ବିଜେଡି କର୍ମୀମାନେ ଲୋକସେବା ଭବନ ଘେରାଉ କରିବାକୁ ଯାଇଥିଲେ ।

ଏହି ଘେରାଉ ଉଦ୍ୟମ ସମୟରେ ପୋଲିସ ଓ ବିଜେଡି ଆନ୍ଦୋଳନକାରୀଙ୍କ ମଧ୍ୟରେ ଧକ୍କାଧୁକ୍କି ହୋଇଥିବା ବେଳେ ପୋଲିସ ପକ୍ଷରୁ ଲାଠିଚାର୍ଜ, ଟିଅର ଗ୍ୟାସ ଓ ପାଣି କାନୁନ ପ୍ରୟୋଗ କରାଯାଇଛି । ଟିଅର ଗ୍ୟାସ ମାଡ଼ରେ ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ଓ ରାଜ୍ୟସଭା ସାଂସଦ ସୁଲତା ଦେଓ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପୋଲିସ ପକ୍ଷରୁ ୧୦୦ରୁ ଅଧିକ ବିଜେଡି କର୍ମୀଙ୍କୁ ଗିରଫ କରାଯାଇଛି ।

ବିଜେଡିର ମୁଖ୍ୟ ଦାବିସମୂହ:

ଘଟଣାର ସ୍ୱତନ୍ତ୍ର ବିଚାର ବିଭାଗୀୟ ତଦନ୍ତ

ପୀଡ଼ିତ ପରିବାରକୁ ୨ କୋଟି ଟଙ୍କା କ୍ଷତିପୂରଣ

ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଇସ୍ତଫା

ଆତ୍ମହତ୍ୟା ଘଟଣାରେ ଜଡ଼ିତ ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

ଏହି ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମାଧ୍ୟମରେ କଠୋର ଭାଷାରେ ପ୍ରତିକ୍ରିୟା ଦେଇଛନ୍ତି । ସେ ପୋଲିସ କାର୍ଯ୍ୟପଦ୍ଧତିକୁ “ବର୍ବର” ଆଖ୍ୟା ଦେଇ ଆହତ ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇଛନ୍ତି ।