FeaturedLatestNewsPolitics

ନାବାଳିକା ଦୁଷ୍କର୍ମ ମାମଲାରେ ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ

ଭୁବନେଶ୍ୱର (ସଂକେତ ଟିଭି) : ବିଜେଡି କର୍ପୋରେଟର ଅମରେଶ ଜେନାଙ୍କୁ ଭୁବନେଶ୍ୱର କମିଶନରେଟ ପୋଲିସ ବାଲେଶ୍ୱରରୁ ଗିରଫ କରିଛି। ନାବାଳିକାଙ୍କୁ ବଳାତ୍କାର, ଗର୍ଭନଷ୍ଟ, ପ୍ରତାରଣା ଏବଂ ହତ୍ୟା ଧମକ ଅଭିଯୋଗରେ ତାଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଥିଲା।

ଗତ ଶନିବାର ଲକ୍ଷ୍ମୀସାଗର ପୋଲିସ ଅମରେଶଙ୍କୁ ଫେରାର କରିବାରେ ସାହାଯ୍ୟ କରିଥିବା ଅଭିଯୋଗରେ ତାଙ୍କର ୫ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଥିଲେ। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ – ବିବେକ କୁମାର ସ୍ୱାଇଁ (୨୯), ବିକ୍ରମ ମହାନ୍ତି (୪୨), ଦେବେନ୍ଦ୍ର କୁମାର ଭୋଳ (ବୁଲୁ) (୪୫), ସୁମନ କୁମାର ସାହୁ (୨୭) ଏବଂ ରାଜୀବ ଚମ୍ପତି (୪୫)। ଏହି ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ନ୍ୟା ସଂହିତା (BNS) ଏବଂ POCSO ଆଇନ ଅଧୀନରେ ଅଭିଯୋଗ କରାଯାଇ ଝାରପଡ଼ା ଜେଲକୁ ପଠାଯାଇଛି।

ଅଭିଯୋଗ ଅନୁଯାୟୀ, ୨୦୨୩ ଜୁନ୍‌ ମାସରେ ରଜ ସମୟରେ ଅମରେଶ ଜେନା ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ୨୦୨୪ ଫେବୃଆରୀ ମାସରେ ଯୁବତୀ ଗର୍ଭବତୀ ହେବା ପରେ ଅମରେଶ ତାଙ୍କୁ ଜବରଦସ୍ତ ଗର୍ଭପାତ କରିବାକୁ ବାଧ୍ୟ କରିଥିଲେ। ପୀଡ଼ିତା ଦାବି କରିଛନ୍ତି ଯେ, ଅମରେଶ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ ଏବଂ ଏହି ସମ୍ପର୍କ କାହାକୁ ନ କହିବାକୁ ଚେତାବନୀ ଦେଇଥିଲେ।

ଭୁବନେଶ୍ୱର ଡେପୁଟି କମିଶନର ଅଫ ପୋଲିସ (ଡିସିପି) ଜଗମୋହନ ମୀନା କହିଛନ୍ତି ଯେ, ଅମରେଶ ଜେନା ଫେରାର ଥିଲେ, କିନ୍ତୁ ବାଲେଶ୍ୱରରୁ ତାଙ୍କୁ ଗିରଫ କରାଯାଇଛି। ତଦନ୍ତ ଜାରି ରହିଛି ଏବଂ ପୀଡ଼ିତାଙ୍କର ଡାକ୍ତରୀ ପରୀକ୍ଷା ସମାପ୍ତ ହୋଇଛି। ତାଙ୍କ ବୟାନ ମାଜିଷ୍ଟ୍ରେଟ ଆଗରେ ରେକର୍ଡ କରାଯାଇଛି।

ଅମରେଶଙ୍କ ବିରୋଧରେ ଭାରତୀୟ ନ୍ୟା ସଂହିତା (BNS) ଧାରା ୬୪(୨)(ଏମ), ୮୯, ୨୯୬, ୩୫୧(୨) ଏବଂ POCSO ଆଇନର ଧାରା ୬ ଅନୁଯାୟୀ ଅଭିଯୋଗ କରାଯାଇଛି। ଏହି ଘଟଣାର ସଂପର୍କରେ ଅମରେଶଙ୍କ ବଡ଼ ଭାଇ ସମରେଶ ଜେନାଙ୍କୁ ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ ପଦରୁ ହଟାଇ ଦିଆଯାଇଛି।

ସେପଟେ  ବଳାତ୍କାର ମାମଲାରେ ଅମରେଶ ଜେନା ଗିରଫ ହେବା ପରେ ତାଙ୍କୁ ବିଜେଡିରୁ ନିଲମ୍ବିତ କରିଛନ୍ତି ନବୀନ। ଅମରେଶ ଗିରଫ ହେବା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବିଜେଡି ସଭାପତି।