FeaturedGeneralLatestPolitics

ଅପରେସନ ସିନ୍ଦୁରର ସତ କାହିଁକି ଲୁଚାଉଛି ମୋଦି ସରକାର: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ (ସଂକେତ ଟିଭି): ସଂସଦରେ ଅପରେସନ ସିନ୍ଦୂର ବିତର୍କ ଉପରେ ଭାଷଣ ଦେଇ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ସେନାର ସାହସିକତାକୁ ସଲାମ କରିଥିଲେ। ତାଙ୍କ ଭାଷଣରେ ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଥିଲେ।

ପ୍ରିୟଙ୍କା କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନେ ଗୃହରେ ସମସ୍ତ ଦିଗକୁ ନେଇ ମତାମତ ପ୍ରଦାନ କରିଥିଲେ ଏବଂ ଇତିହାସ ମଧ୍ୟ ପଢ଼ାଇଥିଲେ। କିନ୍ତୁ ପହଲଗାମରେ ଆକ୍ରମଣ କିପରି ହେଲା, କାହିଁକି ହେଲା ତାହା କହି ନଥିଲେ। ଏହି ପ୍ରଶ୍ନଗୁଡ଼ିକ ଏବେ ବି ରହସ୍ୟ ଘେରରେ ରହିଛି।

ପ୍ରିୟଙ୍କା କହିଛନ୍ତି ଯେ, ଲୋକମାନେ ସରକାରଙ୍କ ଉପରେ ବିଶ୍ୱାସ କରି ପହଲଗାମ ଯାଇଥିଲେ। ସରକାର ସେମାନଙ୍କୁ ଭଗବାନଙ୍କ ଦୟା ଉପରେ ଛାଡିଦେଇଥିଲେ। “ନାଗରିକଙ୍କ ସୁରକ୍ଷା କ’ଣ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦାୟିତ୍ୱ ନୁହେଁ? ଏହା କ’ଣ ଗୃହମନ୍ତ୍ରୀଙ୍କ ଦାୟିତ୍ୱ ନୁହେଁ?” ପହଲଗାମ ଆକ୍ରମଣରେ ମୃତ୍ୟୁବରଣ କରିଥିବା କାନପୁରର ଶୁଭମ ଦ୍ୱିବେଦୀଙ୍କ କଥା ଉଲ୍ଲେଖ କରି ପ୍ରିୟଙ୍କା ଗାନ୍ଧୀ କହିଥିଲେ ଯେ, ଏହି ଲୋକମାନେ ସରକାରଙ୍କ ଉପରେ ବିଶ୍ୱାସ କରି ପହଲଗାମ ଯାଇଥିଲେ।

ପ୍ରିୟଙ୍କା କହିଛନ୍ତି ଯେ, ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ଭାଷଣରେ ୟୁପିଏ ସରକାର ସମୟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିଷୟରେ ଉଲ୍ଲେଖ କରିଥିଲେ। ଦେଶ ୨୦୨୦ ରୁ ୨୨ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ୨୫ଟି ଆତଙ୍କବାଦୀ ଆକ୍ରମଣ ଦେଖିଛି। ଏହି ଆକ୍ରମଣରେ ୪୧ ଜଣ ସେନା କର୍ମଚାରୀ ଏବଂ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି। ୫୪ ଜଣ ଆହତ ହୋଇଥିଲେ।

ସେ କହିଛନ୍ତି ଯେ, ଏହି ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ଟିଆରଏଫର ହାତ ଅଛି। ଭାରତ ସରକାରଙ୍କୁ ଟିଆରଏଫକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବାକୁ ୩ ବର୍ଷ ଲାଗିଲା। ୨୦୨୩ରେ ଟିଆରଏଫକୁ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଇଥିଲା। “ଯେତେବେଳେ ସେମାନେ ଜାଣିଥିଲେ, ତେବେ ଏକ ଆତଙ୍କବାଦୀ ସଂଗଠନକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବାକୁ ଏତେ ସମୟ କାହିଁକି ଲାଗିଲା?” ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି।

ପ୍ରିୟଙ୍କା କହିଛନ୍ତି, “ପହଲଗାମ ଆକ୍ରମଣ ପରେ, ସେନା ମୁଖ୍ୟ, ଗୁପ୍ତଚର ମୁଖ୍ୟ ଇସ୍ତଫା ଦେଇଥିଲେ କି? ଗୃହମନ୍ତ୍ରୀ ଇସ୍ତଫା ଦେଇଥିଲେ କି? ଇସ୍ତଫା ଭୁଲିଯାଆନ୍ତୁ, ସେ ଦାୟିତ୍ୱ ମଧ୍ୟ ନେଇ ନଥିଲେ।” ସେ କହିଛନ୍ତି, “ତୁମେ ୧୧ ବର୍ଷ ଧରି କ୍ଷମତାରେ ଅଛ। ମଣିପୁର ଜଳିଲା, ଦିଲ୍ଲୀ ଦଙ୍ଗା ହେଲା, ପହଲଗାମରେ ଆକ୍ରମଣ ହେଲା। ଏହି ଉଭୟ ମନ୍ତ୍ରୀ (ରାଜନାଥ ଓ ଅମିତ) କାହିଁକି ଏବେ ବି ପଦରେ ଅଛନ୍ତି?”

ଶେଷରେ, ପ୍ରିୟଙ୍କା କହିଛନ୍ତି, “ମୁଁ ୨୬ ଜଣ ପୀଡିତଙ୍କ ଯନ୍ତ୍ରଣା ବୁଝିପାରୁଛି। ଦେଶକୁ ଏହାର ଉତ୍ତର ଆବଶ୍ୟକ।”