CrimeFeaturedLatestNews

ଭିଜିଲାନ୍ସ ଟିମ ଆସୁଥିବା ଜାଣି ଝରକା ଦେଇ ଫିଙ୍ଗିଦେଲେ ଟଙ୍କା-ସୁନା ବ୍ୟାଗ

ଭୁବନେଶ୍ବର (ସଂକେତ ଟିଭି): ଭିଜିଲାନ୍ସ ଟିମ ଆସୁଥିବା ଜାଣିପାରି ଭୁବନେଶ୍ବର କସମୋପଲିସ ଏପାର୍ଟମେଣ୍ଟର ଫ୍ଲାଟର ଝରକା ଦେଇ ଟଙ୍କା-ସୁନା ଭର୍ତ୍ତି ବ୍ୟାଗ ଫିଙ୍ଗିଦେଇଥିଲେ ଆର୍ ଆଣ୍ଡ୍ ବି ଡିଭିଜନର ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡା। ମୋବାଇଲ ସୁଇଚ୍ ଅଫ୍ କରି ଲୁଚେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଭିଜିଲାନ୍ସ ଟିମ୍ ବ୍ୟାଗଟି ଜବତ କରିଛି । ବ୍ୟାଗ ଭିତରୁ ମିଳିଛି ୧ ଲକ୍ଷ ଟଙ୍କା, ୬୦ ଗ୍ରାମ ସୁନା, ୧୦ ଗ୍ରାମ ରୁପା, ଆଇଫୋନ୍ ଓ ଗାଡ଼ିର କାଗଜପତ୍ର।

ଚଢ଼ାଉରେ ଅଶୋକ ପଣ୍ଡାଙ୍କ କବଳରେ ଥିବା ଉତ୍କଳ କନିକା ଗ୍ୟାଲେରିଆ ମଲ୍ ଓ ସିମ୍ଫନି ମଲରେ ଦୁଇଟି ଦୋକାନ, ସୋମନାଥନଗରରେ ୪ ମହଲା ଘର, ଡୁମଡୁମାରେ ୩ ମହଲା ଘର, କସମୋପଲିସ୍ ଫ୍ଲାଟ ଏବଂ ପୋଷ୍ଟାଲରେ ୧୭ ଲକ୍ଷ ଟଙ୍କାର ଡିପଜିଟ୍ ମିଳିଛି। ଚଢ଼ାଉର ପୂର୍ବଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘର ପର୍ଯ୍ୟବେକ୍ଷଣ କରିଥିବା ଜଣାପଡିଛି।

ଅନ୍ୟ ଏକ କେସରେ, ଆର୍ ଆଣ୍ଡ୍ ବି ଡିଭିଜନ-୩ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ବିରୁଦ୍ଧରେ ଦ୍ୱିତୀୟ ଦିନ ଧରି ମାରାଥନ ଚଢ଼ାଉ ଚାଲିଛି। ଭୁବନେଶ୍ୱର ଓ ନୟାଗଡ଼ର ୧୦ଟି ସ୍ଥାନରେ ଏକାସାଙ୍ଗେ ଚଢ଼ାଉ ହୋଇଛି, ଯେଉଁଥିରେ ଜେନାଙ୍କ ଏକ ବହୁତଳା ପ୍ରାସାଦ, ୨ଟି ଫ୍ଲାଟ, ୨ଟି ମଲ୍ରେ କମର୍ସିଆଲ୍ ଦୋକାନ ଏବଂ ୧୩ଟି ଦାମୀ ପ୍ଲଟ୍ ମିଳିଛି। ତାଙ୍କୁ ଅଟକକରି ଭିଜିଲାନ୍ସ ପଚରାଉଚରା ଜାରି ରଖିଛି।

ଭିଜିଲାନ୍ସର ଟେକ୍ନିକାଲ୍ ଟିମ୍ ଉଭୟ ଅଧିକାରୀଙ୍କର ସମ୍ପତ୍ତି, ବ୍ୟାଙ୍କ୍ ବାଲାନ୍ସ, ବିଦେଶ ଯାତ୍ରାର ଖର୍ଚ୍ଚ ଆଦି ଛାନବିନ୍ କରୁଛି। ଉଭୟ ଅଧିକାରୀଙ୍କର ଯୌଥ ସମ୍ପତ୍ତି ଥିବା ମଧ୍ୟ ଜଣାପଡିଛି। ଏହି ଚଢ଼ାଉ ପାଇଁ ଭିଜିଲାନ୍ସ ପକ୍ଷରୁ ୭ ଜଣ ଡିଏସପି, ୫ ଇନ୍ସପେକ୍ଟର, ୧ ସବ-ଇନ୍ସପେକ୍ଟର ଏବଂ ୧୧ ଜଣ ଏଏସଆଇ ନିଯୁକ୍ତ ହୋଇଛନ୍ତି। ଭିଜିଲାନ୍ସ ନିର୍ଦ୍ଦେଶକ ଓ ସ୍ପେଶାଲ୍ ଜଜଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।