ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ-ଡିଜେଲ ବିକ୍ରି ଉପରେ ଲାଗିଲା ପ୍ରତିବନ୍ଧକ
ଭୁବନେଶ୍ୱର (ସଂକେତ ଟିଭି): ପ୍ଲାଷ୍ଟିକ୍ ବୋତଲ କିମ୍ବା ଅନୁମୋଦିତ ନଥିବା ପାତ୍ରରେ ପେଟ୍ରୋଲିୟମ୍ ପଦାର୍ଥ (ପେଟ୍ରୋଲ, ଡିଜେଲ) ବିକ୍ରି, ସଂରକ୍ଷଣ ଓ ପରିବହନ ଉପରେ ଓଡ଼ିଶା ସରକାର କଡ଼ା ପ୍ରତିବନ୍ଧକ ଲଗାଇଛନ୍ତି। ରାଜ୍ୟର ଯୋଗାଣ ବିଭାଗର ସଚିବ ସଞ୍ଜୟ କୁମାର ସିଂହ ସମସ୍ତ ଜିଲ୍ଲାପାଳଙ୍କୁ ଏହି ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସରକାରୀ ପତ୍ରରେ ଉଲ୍ଲେଖ ଅଛି ଯେ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ଲାଷ୍ଟିକ୍ ବୋତଲରେ ଇନ୍ଧନ ବିକ୍ରି ଓ ପରିବହନ କରାଯାଉଛି, ଯାହା ପେଟ୍ରୋଲିୟମ୍ ଆଇନ, 1934, ବିସ୍ଫୋରକ ଆଇନ, 1884, ଓ ପରିବେଶ ସୁରକ୍ଷା ଆଇନ, 1986 ଭଳି ବିଭିନ୍ନ ନିୟମ ଉଲ୍ଲଂଘନ କରୁଛି। ଏହା ଜନସାଧାରଣଙ୍କ ପାଇଁ ଅଗ୍ନିଜନିତ ଦୁର୍ଘଟଣା ଓ ପରିବେଶ ପ୍ରଦୂଷଣର ଆଶଙ୍କା ସୃଷ୍ଟି କରୁଛି।
କଡ଼ା ନିର୍ଦ୍ଦେଶାବଳୀ:
ସମସ୍ତ ଇନ୍ଧନ ଷ୍ଟେସନ, ଖୁଚୁରା ଦୋକାନ ଓ ଡିଲରମାନଙ୍କୁ ପ୍ଲାଷ୍ଟିକ୍ ବୋତଲରେ ଇନ୍ଧନ ବିକ୍ରି ବନ୍ଦ କରିବାକୁ ଆଦେଶ।
ନିୟମ ଭଙ୍ଗକାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ।
ସିଭିଲ୍ ସପ୍ଲାଏ ଇନ୍ସପେକ୍ଟର, ପୁଲିସ ଓ ତହସିଲଦାରଙ୍କୁ ଅଚାନକ ଯାଞ୍ଚ କରିବାକୁ ନିର୍ଦ୍ଦେଶ।
ପ୍ରତ୍ୟେକ ଇନ୍ଧନ କେନ୍ଦ୍ରରେ ଓଡ଼ିଆ-ଇଂରାଜୀରେ ସଚେତନତା ବୋର୍ଡ ଲଗାଇବାକୁ ବାଧ୍ୟତାମୂଳକ।
ଜିଲ୍ଲା ପ୍ରଶାସନକୁ ମାସିକ ରିପୋର୍ଟ ଦାଖଲ କରିବାକୁ ମଧ୍ୟ କୁହାଯାଇଛି, ଯେଉଁଥିରେ ଯାଞ୍ଚ ସଂଖ୍ୟା, ଉଲ୍ଲଂଘନ ଓ କାର୍ଯ୍ୟାନୁଷ୍ଠାନର ବିବରଣୀ ରହିବ। ଏହି ପଦକ୍ଷେପ ଜନସାଧାରଣଙ୍କ ସୁରକ୍ଷା ଓ ପରିବେଶ ସୁରକ୍ଷା ଲକ୍ଷ୍ୟରେ ଗ୍ରହଣ କରାଯାଇଛି।
