ବିଜେଡ଼ି ସରକାରର ଅଧା କାମ ପୂରା କରିବ ବିଜେପି ସରକାର: ସୁରେଶ ପୂଜାରୀ
ଭୁବନେଶ୍ୱର (ସଂକେତ ଟିଭି): ବିଜେଡ଼ି ସରକାର ଅଧା ରଖିଥିବା କାମକୁ ପୂରା କରିବ ବିଜେପି ସରକାର। ରାଜ୍ୟରେ ୧୯୯୧ରୁ ୨୦୨୪ ପର୍ଯ୍ୟନ୍ତ ୩୪ ବର୍ଷ ଭିତରେ ମାତ୍ର ୧୦୦୦ ଗାଁକୁ ରାଜସ୍ୱ ଗ୍ରାମ ଭାବେ ଘୋଷଣା କରାଯାଇଥିଲା। ହେଲେ, ପୂର୍ବତନ ସରକାରଙ୍କ କ୍ଷମତାରେ ସେଥିରୁ ମାତ୍ର ୩୦୦ ଗ୍ରାମର ମ୍ୟାପ ପ୍ରସ୍ତୁତ ହୋଇଥିଲା। କିନ୍ତୁ ବାକି ୭୦୦ ଗ୍ରାମର ମ୍ୟାପ କରିପାରିନଥିଲେ ପୂର୍ବ ସରକାର।
ତେଣୁ ମ୍ୟାପ ହୋଇନଥିବା ବାକି ଗାଁ ଏବଂ ନୂଆ କିଛି ଗ୍ରାମକୁ ମିଶାଇ ମୋଟ ୧୬୩୫ଟି ରାଜସ୍ୱ ଗାଁର ମ୍ୟାପିଂ କରାଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, “ବିଜେପି ସରକାର ଅଧୁରା କାମକୁ ପୂରା କରିବାକୁ ଯାଉଛନ୍ତି। ସେଥିପାଇଁ ପ୍ରତି ତହସିଲରେ ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ସେଲ କରାଯିବ।”
ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଏହି ଗାଁଗୁଡ଼ିକ ମାନ୍ୟତା ପାଇବା ସହ କାର୍ଯ୍ୟକାରୀ ହେବ। ୩୪ ବର୍ଷ ଭିତରେ ପୂର୍ବ ସରକାର ଯାହା କରିପାରିଲେ ନାହିଁ, ବିଜେପି ସରକାର ଏବେ ତାହା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ରାଜସ୍ୱ ଗାଁ ହେଲା ପରେ ସ୍ୱତନ୍ତ୍ର ମ୍ୟାପିଂ ହେବ। ମୂଳ ଗାଁରେ ଥିବା ଲୋକଙ୍କ ଖାତା ନମ୍ବର, ପ୍ଲଟ ନମ୍ବର ମଧ୍ୟ ପରିବର୍ତ୍ତନ ହୋଇ ନୂଆ ହେବ।
ନୂଆ ନିୟମ: ଭୂଲେଖରେ ଗାଁର ନାମ ସ୍ଥାନ ପାଇବ। ୨୫୦ରୁ ଅଧିକ ଜନସଂଖ୍ୟା ଏବଂ ମୂଳ ରାଜସ୍ୱ ଗାଁକୁ ୫୦୦ ମିଟର ଦୂରତା ଥିବା ପଡ଼ା ଗାଁଗୁଡ଼ିକୁ ରାଜସ୍ୱ ଗ୍ରାମ ଘୋଷଣା କରାଯିବ। ଅନ୍ୟ ସବୁ କଟକଣା ଉଠାଇ ଦେଇଛନ୍ତି ବିଜେପି ସରକାର।
