ଖୁବ୍ ଶୀଘ୍ର ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ ଓ ନବରଙ୍ଗପୁରରେ ହେବ ମେଡିକାଲ କଲେଜ
କୋରାପୁଟର (ସଂକେତ ଟିଭି): ଖୁବ୍ ଶୀଘ୍ର ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ ଓ ନବରଙ୍ଗପୁରରେ ମଧ୍ୟ ମେଡିକାଲ କଲେଜ ସ୍ଥାପନ ହେବ । କୋରାପୁଟ ଠାରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଲୋକାର୍ପଣ ଉତ୍ସବରେ ଏହି ଘୋଷଣା ମୁଖ୍ୟମନ୍ତ୍ରୀ ମୋହନ ମାଝି କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ୧୨ଟି ସରକାରୀ ମେଡିକାଲ କଲେଜ ରହିଛି ।
ଆଜି ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ୨୮୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ୬୫୦ ଶଯ୍ୟା ବିଶିଷ୍ଟ ଏକ ଆଧୁନିକ ଚିକିତ୍ସାଳୟର ଉଦଘାଟନ କରାଯାଇଛି । ଉଦଘାଟନ ପରେ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ସମସ୍ତ ଖାଲି ପଦବୀ ଶୀଘ୍ର ପୂରଣ କରାଯିବ । ସିଟି ସ୍କାନ୍, ଡାଏଲିସିସ୍, ମାମୋଗ୍ରାଫି ଭଳି ଆଧୁନିକ ରୋଗ ନିରୂପଣ ସୁବିଧା ମଧ୍ୟ ଏଠାରେ ଉପଲବ୍ଧ ହେବ ।
ଗୁରୁତର ରୋଗୀଙ୍କ ପାଇଁ ଅକ୍ସିଜେନର ଅଭାବ ନହେବା ପାଇଁ ଏକ ସ୍ୱତନ୍ତ୍ର ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରାଯାଇଛି । ଏହି ହସ୍ପିଟାଲ ସହିତ ଜଡିତ ୨ ଏକର ଜାଗାରେ ଏକ କ୍ୟାନ୍ସର ଚିକିତ୍ସା ହସ୍ପିଟାଲ ମଧ୍ୟ ନିର୍ମାଣ କରାଯାଉଛି । ଏଥିପାଇଁ ସରକାର ୪୧ କୋଟି ୧୫ ଲକ୍ଷ ଟଙ୍କା ବରାଦ କରିଛନ୍ତି ।
ଏହା ସହିତ ମୁଖ୍ୟମନ୍ତ୍ରୀ ଜୟପୁର-ବ୍ରହ୍ମପୁର-ଭୁବନେଶ୍ୱର ଇ-ଇକୋନୋମିକ୍ କରିଡୋର ୬ ଲେନ ବିଶିଷ୍ଟ ରାସ୍ତା ଶୀଘ୍ର ତିଆରି ହେବ ବୋଲି ଘୋଷଣା କରିଛନ୍ତି । ଏହି ପ୍ରକଳ୍ପଗୁଡିକ ରାଜ୍ୟର ସ୍ୱାସ୍ଥ୍ୟ ଏବଂ ଯୋଗାଯୋଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି ।