FeaturedGeneralLatestPolitics

ମିନ୍ତା ଦେବୀ ଟି-ସାର୍ଟ ପିନ୍ଧି ନିର୍ବାଚନ କମିଶନ ବିରୋଧରେ ଆନ୍ଦୋଳନ କଲେ ବିରୋଧି

ନୂଆଦିଲ୍ଲୀ (ସଂକେତ ଟିଭି): ଭୋଟ୍ ଚୋରି (Vote Theft) ଆରୋପରେ ମଙ୍ଗଳବାର ମଧ୍ୟ ଇଲେକ୍ସନ୍ କମିଶନ ଅଫ୍ ଇଣ୍ଡିଆ (ECI) ଉପରେ ଆକ୍ଷେପ ଜାରି ରଖିଛନ୍ତି କଂଗ୍ରେସ୍ ନେତା ରାହୁଲ୍ ଗାନ୍ଧୀ। ସଂସଦ୍ ବାହାରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି, “ଏକ ବ୍ୟକ୍ତି, ଏକ ଭୋଟ୍” ନୀତି ପାଳନରେ ଇଲେକ୍ସନ୍ କମିଶନ୍ ବିଫଳ ହେଉଛି।

ରାହୁଲ୍ ଗାନ୍ଧୀ କହିଛନ୍ତି, “ଏହା କେବଳ ଗୋଟିଏ କିମ୍ବା ଦୁଇଟି ସିଟ୍ ନୁହେଁ, ବରଂ ଏକ ଜାତୀୟ ସ୍ତରରେ ପଦ୍ଧତିଗତ ଭାବେ ଏହା ଘଟୁଛି। ଇଲେକ୍ସନ୍ କମିଶନ୍ ଏହା ଜାଣେ। ପୂର୍ବରୁ କୌଣସି ପ୍ରମାଣ ନଥିଲା, ମାତ୍ର ବର୍ତ୍ତମାନ ଅଛି।” ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଦଳ ସମ୍ବିଧାନକୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟ କରୁଛି ଏବଂ ଏହା ଜାରି ରଖିବ।

ରାହୁଲ୍ ଗାନ୍ଧୀଙ୍କୁ ବିହାରର ୧୨୪ ବର୍ଷୀୟ ମତଦାତା ମିନ୍ତା ଦେବୀଙ୍କ ବିଷୟରେ ପଚରା ଯାଇଥିବାରୁ ସେ କହିଛନ୍ତି, “ଏଭଳି ଅସଂଖ୍ୟ ମାମଲା ଅଛି।” କଂଗ୍ରେସ୍ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ମଧ୍ୟ କହିଛନ୍ତି ଯେ ଅନେକ ମାମଲାରେ ଠିକଣା, ଆତ୍ମୀୟଙ୍କ ନାମ ଇତ୍ୟାଦି ନକଲି ଅଟେ।

ମଙ୍ଗଳବାର ସକାଳେ INDIA ବ୍ଲକ୍ ର ଅନେକ ସାଂସଦ ବିହାରର ମତଦାତା ତାଲିକା ସଂଶୋଧନ (SIR) ବିରୋଧରେ ସଂସଦ୍ ପରିସରରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଅନେକେ ମିନ୍ତା ଦେବୀଙ୍କ ନାମ ସହିତ ଧଳା ଟି-ସାର୍ଟ ପିନ୍ଧିଥିଲେ। କଂଗ୍ରେସ୍ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, TMCର ଡେରେକ୍ ଓ’ବ୍ରାଇନ୍, DMKର ଟିଆର ବାଳୁ, NCP(SP)ର ସୁପ୍ରିୟା ସୁଲେ ଏବଂ ଅନ୍ୟାନ୍ୟ ବିରୋଧୀ ସାଂସଦମାନେ ମାକର୍ ଦ୍ୱାର ନିକଟରେ ଏକତ୍ରିତ ହୋଇ ପୋଷ୍ଟର୍ ଧରି ନାରା ଦେଇଥିଲେ।

କଂଗ୍ରେସ୍ ସାଂସଦ ମଣିକାମ୍ ଟାଗୋର୍ ଆକ୍ଷେପ କରି କହିଛନ୍ତି, “ରାଜୀବ କୁମାର୍ ଏବଂ ଜ୍ୟାନେଶ୍ କୁମାର୍ଙ୍କ ଅଧୀନରେ ଇଲେକ୍ସନ୍ କମିଶନ୍ ବିଜେପିର ଏକ ବିଭାଗ ହୋଇଯାଇଛି। ମିନ୍ତା ଦେବୀ ଜଣେ ପ୍ରଥମ ଥର ମତଦାତା ଏବଂ ତାଙ୍କୁ ୧୨୪ ବର୍ଷ ବୟସ। ମତଦାତା ତାଲିକାରେ ଏଭଳି ଅନେକ ଠକାମି ଅଛି।”

ସୋମବାରରେ ରାହୁଲ୍ ଗାନ୍ଧୀ, ଖରଗେ ଏବଂ ପାୱାର୍ ସମେତ ବିରୋଧୀ ସାଂସଦମାନେ ବିହାରର ମତଦାତା ତାଲିକା ସଂଶୋଧନ ଏବଂ ଭୋଟ୍ ଚୋରି ଆରୋପରେ ଇଲେକ୍ସନ୍ କମିଶନ୍ କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ, ମାତ୍ର ପୋଲିସ୍ ତାଙ୍କୁ ରୋକ୍ କରିଦେଇଥିଲା। ୩୦୦ରୁ ଅଧିକ ସାଂସଦଙ୍କୁ ଅଳ୍ପ ସମୟ ପାଇଁ ଗିରଫ୍ କରାଯାଇଥିଲା।