୩୪ ଜଣକୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ସ୍ବାଧୀନତା ଦିବସ ଅବସରରେ ରାଜ୍ୟ ସ୍ତରୀୟ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବୀରତ୍ବ ଦେଖାଇଥିବା ୩୪ ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ପୁରସ୍କାର ପାଇଥିବା ୩୪ ଜଣ ବୀର ଓ ସେବକଙ୍କ ମଧ୍ୟରେ କେହି କେହି ଅନ୍ୟର ଜୀବନ ବଞ୍ଚାଇଥିଲେ, ଆଉ କେହି ସାହସିକତାର ସାକ୍ଷୀ ଦେଇ ସାମାଜିକ ସୁରକ୍ଷାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ରାଜ୍ୟବାସୀଙ୍କ ସୁରକ୍ଷା ଓ ସୁଖମୟ ଜୀବନ ପାଇଁ ଏମାନେ ବିଭିନ୍ନ କ୍ଷେତ୍ରରେ ଅବଦାନ ରଖିଛନ୍ତି ।
ଡାକ୍ତର ରଞ୍ଜନା ଭଣ୍ଡାରେଙ୍କୁ ଜୀବନ ରକ୍ଷା କ୍ଷେତ୍ରରେ ଅସାମାନ୍ୟ ଅବଦାନ ପାଇଁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଛି । ପୋଲିସ ବିଭାଗର ଗିରିଶ ଚନ୍ଦ୍ର ମାଝୀ, ପବିତ୍ର କୁମାର ସାହୁ, ଉମେଶ ପଣ୍ଡା, ପୀତାମ୍ବର ସତନାମୀ, ରମେଶ ଚନ୍ଦ୍ର ସାହୁ ଓ ସୁଶାନ୍ତ ସାଗରଙ୍କୁ ସାହସିକତା ପାଇଁ ପଦକ ଦିଆଯାଇଛି । ଏହା ବ୍ୟତୀତ, ସୁରେଶ ସାମଲ, ସତ୍ୟବାଦୀ ମଲିକ, ସେଖ ଅବଦୁଲ ସାୟତ, ଶରତ ଚନ୍ଦ୍ର ବେହେରା, ତେଜ ବାହାଦୁର, ଜୟନ୍ତ ସୁନା ଓ ମନୋଜ ଜେନାଙ୍କୁ ଉଲ୍ଲେଖନୀୟ ସେବା ପାଇଁ ସମ୍ମାନିତ କରାଯାଇଛି ।
କାରାଗାର ସୁରକ୍ଷା କ୍ଷେତ୍ରରେ ଅବଦାନ ପାଇଁ ବାଲେଶ୍ୱର ଜିଲ୍ଲା କାରାଗାର ଅଧିକ୍ଷକ ସୁଚିତ୍ରା ଦାସ ଓ କୋରାପୁଟ କାରାଗାର ଅଧିକ୍ଷକ କୁଅଁର ମାରାଣ୍ଡିଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି । ଅଗ୍ନିଶମ ବାହିନୀର ସଞ୍ଜୀବ ନାୟକ, ପ୍ରମୋଦ ରାଉତ, ଗୃହରକ୍ଷୀ ବିଭାଗର ସୌଭାଗ୍ୟ ପ୍ରଧାନ, ନଗେନ୍ଦ୍ର ଭୋଳ, ଅଭିମନ୍ୟୁ ପ୍ରଧାନ, ବିଶ୍ୱରଞ୍ଜନ ଭୋଇ, ପ୍ରଶାନ୍ତ ସାହୁ ଓ ଭ୍ରମରବର ସେଠଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି ।
୨୦୨୨ ସେପ୍ଟେମ୍ବରରେ ବଲାଙ୍ଗିର ଖପ୍ରାଖୋଲରେ ମାଓବାଦୀଙ୍କ ମୁକାବିଲା କରି ୫ ଜଣ ଏସଓଜି ଯୋଦ୍ଧା ସାହସିକତା ପାଇଁ ରାଷ୍ଟ୍ରପତି ମେଡାଲ ପାଇଛନ୍ତି । ପୁରସ୍କାର ପ୍ରାପ୍ତ ଅଧିକାରୀମାନେ କହିଛନ୍ତି ଯେ, ଏହି ସମ୍ମାନ ସେମାନଙ୍କୁ ଆହୁରି ଭଲ କାର୍ଯ୍ୟ କରିବାକୁ ପ୍ରେରଣା ଦେବ । ପୁରସ୍କାର ଗ୍ରହଣ ସମାରୋହରେ ସମସ୍ତଙ୍କ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ ।