ବିଜେପି ସରକାରରେ ମିଥ୍ୟା ବିଲ୍ କିମ୍ବା ଟେଣ୍ଡର୍ ହୋଇପାରିବ ନାହିଁ: ପଞ୍ଚାୟତିରାଜ ମନ୍ତ୍ରୀ
ଭୁବନେଶ୍ବର (ସଂକେତ ଟିଭି): ବିଜେପି ସରକାରରେ କୌଣସି ମିଥ୍ୟା ବିଲ୍ କିମ୍ବା ମିଥ୍ୟା ଟେଣ୍ଡର୍ ହୋଇପାରିବ ନାହିଁ। ଯଦି କିଛି ଘଟଣା ସାମ୍ନାକୁ ଆସେ, ବିଭାଗ ପଦକ୍ଷେପ ନେବ। କେହି ଧରା ପଡ଼ିଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ। ଏଭଳି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ। ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ନେଇ ଏଳି ସୂଚନା ଦେଇଛନ୍ତି ମନ୍ତ୍ରୀ।
ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି, ଟେକ୍ନିକାଲ ସେକ୍ଟରରେ କିଛି ଏଜେନ୍ସି କାମ କରୁଛନ୍ତି। ବିଗତ ଦିନରେ ବି କାମ କରୁଥିଲେ। ଆଗାମୀ ଦିନରେ ବି କାମ କରିବେ। ଆଇଆଇଟି ଖଡଗପୁର, ଆଇଆଇଟି ରୁର୍କି ଭଳି ବିଭିନ୍ନ ସଂସ୍ଥାକୁ ଡିପିଆର୍ କାମ ଦିଆଯାଉଛି। ଯେଉଁ ସଂସ୍ଥା ଭଲ କରୁଛି ସେ ଡିପିଆର୍ ପ୍ରସ୍ତୁତ କଲେ କାମର ମାନ ବଢ଼ିବ।
ନିର୍ବାଚନୀ ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତିଗୁଡ଼ିକୁ ପୂରଣ କରିବା ପାଇଁ ବିଜେପି ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ନେଇ କାମ ହାତକୁ ନିଆଯାଇଛି। ୩୦ରୁ ୪୦ ହଜାର କିମି ରାସ୍ତା ତିଆରି ପାଇଁ ଲକ୍ଷ୍ୟ ରହିଛି। ୨୦୨୯ ସାଧାରଣ ନିର୍ବାଚନ ଆଗରୁ ରାସ୍ତା କାମ ଶେଷ ହେବ। ଏ ନେଇ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସେତୁ ବନ୍ଧନ ଯୋଜନାରେ ୫୦୦ ସେତୁ ନିର୍ମାଣ କରିବାକୁ ଯୋଜନା ଅଛି। ଏହାସହ ବ୍ରିଜ କମ୍ ୱେଲ ମଧ୍ୟ ତିଆରି ହେବ। ଯାହାଦ୍ବାରା ନଦୀ ଜଳ ସଂରକ୍ଷଣ କରାଯାଇପାରିବ। ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ମଧ୍ୟ ଆଗକୁ ବଢିବ। ଗୃହ, ସେତୁ, ରାସ୍ତା ଉପରେ ପ୍ରାଥମିକତା ଦେଉଛି ବିଭାଗ।
ପୂର୍ବ ସରକାର ସମୟରେ ନିର୍ମାଣ ହୋଇଥିବା ପାଖାପାଖି ୨୦ଟି ବ୍ରିଜ ଲୋକଙ୍କ କାମରେ ଆସୁନାହିଁ। କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ବ୍ରିଜଗୁଡ଼ିକ ତିଆରି ହୋଇଥିଲା। ତେଣୁ ଏବେ ବର୍ଷା ସମୟରେ ସେହି ସ୍ଥାନଗୁଡ଼ିକରେ ଲୋକଙ୍କ ଯିବା ଆସିବା ବ୍ୟବସ୍ଥା କରିବା ପାଇଁ ଚିନ୍ତା କରୁଛି ବିଭାଗ। ଏ ନେଇ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ବିଭାଗରେ ଖାଲି ଥିବା ପଦବି ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପାଖାପାଖି ୮୫୦ ପଦବି ପୂରଣ କରାଯିବ। ଓଡ଼ିଆ ଯୁବକମାନେ ନିଯୁକ୍ତି ପାଇବେ। ଏହାସହ ୨୫୩ଟି କୋଠା ନିର୍ମାଣ ପାଇଁ ଯୋଜନା ରଖିଛି ବିଭାଗ। କିଛି ସର୍ବସାଧାରଣ କୋଠା, କିଛି ବିଭାଗୀୟ କୋଠା ନିର୍ମାଣ ହେବ।
ନଭେମ୍ବର ମାସରୁ ଆରମ୍ଭ ହେବ ପିଏମ ଆବାସ ଯୋଜନା ବଣ୍ଟନ ପ୍ରକ୍ରିୟା। ପର୍ଯ୍ୟାୟକ୍ରମେ ଦିଆଯିବ ଆବାସ ଘର। ଭାଗ ହୋଇଥିବା ଏବଂ ଭିନ୍ନକ୍ଷମ ହିତାଧିକାରୀଙ୍କୁ ମଧ୍ୟ ଘର ଦେବେ ସରକାର। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଅନ୍ତଦ୍ୟୋୟ ଯୋଜନାରେ ହିତାଧିକାରୀମାନଙ୍କୁ ଘର ବାଣ୍ଟିବେ ସରକାର।
