FeaturedLatestNews

ଅବପାତରେ ପରିଣତ ହେବ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା

ଭୁବନେଶ୍ବର (ସଂକେତ ଟିଭି): ପଶ୍ଚିମ କେନ୍ଦ୍ରୀୟ ଓ ତତ୍ତ୍ୱସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ, ଏହା ଆସନ୍ତା ୧୨ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗ କହିଛି ଯେ, ଆସନ୍ତାକାଲି ସକାଳରେ ଅବପାତଟି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଦେଇ ଗତି କରିବ। ଏହାର ପ୍ରଭାବରେ ଆସନ୍ତା ୫ ଦିନ ଧରି ବର୍ଷା ହେବା ସହିତ କେତେକ ଅଞ୍ଚଳରେ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା (୧୨ରୁ ୨୦ ସେମି) ହେବାର ସମ୍ଭାବନା ରହିଛି। ବିଶେଷକରି କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାଗୁଡ଼ିକରେ ରେଡ୍ ଆଲର୍ଟ ଜାରି କରାଯାଇଛି।

କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହିସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ୩୦ରୁ ୪୦ କିମି ବେଗରେ ପବନ ବହିବ। ଉପକୂଳବର୍ତ୍ତୀ ଜିଲ୍ଲା ଯେପରି ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ, ବୌଦ୍ଧ, ବଲାଙ୍ଗୀର ଓ ନୂଆପଡ଼ାରେ ୟେଲୋ ଆଲର୍ଟ ଜାରି କରାଯାଇଛି।

ସମୁଦ୍ର ଉପକୂଳରେ ଘଣ୍ଟା ପ୍ରତି ୪୦ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ, ମତ୍ସ୍ୟଜୀବୀଙ୍କୁ ୧୮ରୁ ୨୦ ତାରିଖ ଯାଏଁ ସମୁଦ୍ରକୁ ଯିବାକୁ ନିଷେଧ କରାଯାଇଛି।