FeaturedLatestNews

ମୋତେ ଦେଖିବାକୁ ଚାହିଁଲେ ହସପିଟାଲ ନଆସି ନବୀନ ନିବାସ ଆସନ୍ତୁ : ନବୀନ ପଟ୍ଟନାୟକ

ଭୁବନେଶ୍ବର (ସଂକେତ ଟିଭି): ଅସୁସ୍ଥତା ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ଥିବା ବିରୋଧୀ ଦଳ ନେତା ପୁଣି ଥରେ ହସ୍ପିଟାଲ ବେଡରୁ ବାର୍ତ୍ତା ଦେଇଛନ୍ତି। ଏଥର ସେ କହିଛନ୍ତି, “ମୋତେ ଦେଖିବାକୁ ଚାହିଁଲେ ନବୀନ ନିବାସ ଆସନ୍ତୁ।” ବିଜେଡି ସୁପ୍ରିମୋ ଡାକ୍ତରୀ ଟିମ୍, ଦଳୀୟ ନେତା, ସମର୍ଥକ ଓ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅର୍ଥାତ୍, ପରୋକ୍ଷରେ ନବୀନ ପଟ୍ଟନାୟକ ତାଙ୍କୁ ଦେଖିବା ପାଇଁ ହସ୍ପିଟାଲ ନଆସିବାକୁ କହିଛନ୍ତି।

ନବୀନଙ୍କ ଏହି ଭିଡିଓ ବାର୍ତ୍ତା ସୂଚାଉଛି ଯେ, ସେ ଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ ହୋଇପାରନ୍ତି। ଏହା ପୂର୍ବରୁ ମଧ୍ୟ ସେ ଗତକାଲି କହିଥିଲେ, “ମୁଁ ସୁସ୍ଥ ଅଛି…”। ସେ ସୁସ୍ଥ ଥିବା ବିଷୟରେ ଏକ ଭିଡିଓ ମାଧ୍ୟମରେ ବାର୍ତ୍ତା ଦେଇଥିବାରୁ ତାଙ୍କ ସମର୍ଥକମାନଙ୍କ ମଧ୍ୟରେ ଖୁସି ଦେଖାଯାଇଛି।

ନବୀନ ପଟ୍ଟନାୟକ ପୁଣି ଥରେ ଅସୁସ୍ଥ ହୋଇଥିବାରୁ ଭୁବନେଶ୍ବରର ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଚିକିତ୍ସକ ଡାକ୍ତର ଆଲୋକ ପାଣିଗ୍ରାହୀ କହିଛନ୍ତି ଯେ, ନବୀନଙ୍କୁ ଡିହାଇଡ୍ରେସନ୍ ହୋଇଥିଲା। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ବୋଲି ମେଡିକାଲ କର୍ତ୍ତୃପକ୍ଷ ଜଣାଇଛନ୍ତି।

ନବୀନଙ୍କ ହସ୍ପିଟାଲ ଭର୍ତ୍ତି ଖବର ପ୍ରକାଶ ପାଇବା ପରେ ଗତକାଲିରୁ ମନ୍ତ୍ରୀ, ବିଧାୟକ, ଓ ଦଳୀୟ କର୍ମୀମାନେ ସମ୍ ଅଲ୍ଟିମେଟ୍ ମେଡିକେୟାର ଆଡ଼କୁ ଯାଇଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଂ, ଆଇନ୍ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ, ଏବଂ ଏକାମ୍ର ବିଧାୟକ ବାବୁ ସିଂ ନବୀନଙ୍କ ସ୍ୱାସ୍ଥ୍ୟ ସ୍ଥିତି ବାବଦରେ ଡାକ୍ତରଙ୍କଠାରୁ ଜାଣିଥିଲେ।

ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ କହିଛନ୍ତି, “ନବୀନବାବୁଙ୍କ ସ୍ୱାସ୍ଥ୍ୟ ଏବେ ସ୍ଥିର। ସେ ଆଇସିୟୁରେ ଅଛନ୍ତି, ତେଣୁ ଦେଖା କରିପାରିଲି ନାହିଁ। ହୁଏତ ଆଜି କିମ୍ବା କାଲି ସକାଳେ ତାଙ୍କୁ ଡିସଚାର୍ଜ କରାଯାଇପାରେ।” ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ସ୍ୱାସ୍ଥ୍ୟ ସ୍ଥିତି ସ୍ଥିର ଥିବା କଥା ନିଶ୍ଚିତ କରିଛନ୍ତି।