ଭୁବନେଶ୍ୱର ବାଇପାସ୍ ପାଇଁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ, ଖର୍ଚ୍ଚ ହେବ ୮୩୦୮ କୋଟି ଟଙ୍କା
ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱର କ୍ୟାପିଟାଲ ରିଜନ ରିଙ୍ଗ ରୋଡ୍ ଅଥବା ଭୁବନେଶ୍ୱର ବାଇପାସ୍ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳ (କ୍ୟାବିନେଟ୍) ମଞ୍ଜୁରୀ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ପ୍ରକଳ୍ପ ପାଇଁ ୮୩୦୮ କୋଟି ଟଙ୍କା ମଞ୍ଜୁର କରାଯାଇଛି।
ଏହି ରିଙ୍ଗ ରୋଡ୍ ପ୍ରାୟ ୧୧୧ କିଲୋମିଟର ଲମ୍ବା ହବ ଏବଂ ଏହା ହାଇବ୍ରିଡ୍ ଆନ୍ୟୁଇଟି ମୋଡରେ ନିର୍ମିତ ହେବ। ପ୍ରକଳ୍ପଟି ୬ ଲେନ୍ ବିଶିଷ୍ଟ ହୋଇଥିବା ଯୋଗୁଁ କଟକ ଏବଂ ଭୁବନେଶ୍ୱରର ମୁଖ୍ୟ ରାସ୍ତାରେ ଥିବା ଯାନଜଟ ଏବଂ ଗହଳି ମଧ୍ୟ କମିବ।
ଏହି ରିଙ୍ଗ ରୋଡ୍ ତିନୋଟି ପ୍ରମୁଖ ଜାତୀୟ ରାଜପଥ (ଏନଏଚ ୫୫, ଏନଏଚ ୫୭ ଏବଂ ଏନଏଚ ୬୫୫) ଏବଂ ଗୋଟିଏ ରାଜ୍ୟ ରାଜପଥ (ଏସଏଚ ୬୫)କୁ ପରସ୍ପର ସହିତ ସଂଯୋଗ କରିବ। ଏହା କଟକ, ଭୁବନେଶ୍ୱର ଏବଂ ଢେଙ୍କାନାଳ ଜିଲ୍ଲାକୁ ମଧ୍ୟ ଯୋଡ଼ିବ।
ଏହି ପ୍ରକଳ୍ପଦ୍ୱାରା ରାଜ୍ୟର ଚାରିଟି ଗୁରୁତ୍ୱପୂର୍ଣ୍ଣ ସହର ଯଥା: ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଏବଂ ଢେଙ୍କାନାଳ ମଧ୍ୟରେ ସଂଯୋଗ ସୁଦୃଢ଼ ହେବ। ଫଳସ୍ୱରୂପ, ପରିବହନ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ସୁଧାର ଆସିବା ସହିତ ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ତ୍ୱରାନ୍ୱିତ ହେବ।
