ଶିଶୁ ବାଟିକା ପିଲାଙ୍କୁ ମାଗଣାରେ ମିଳିବ ୟୁନିଫର୍ମ, ଜୋତା ଓ ଟ୍ରାକ୍ ପ୍ୟାଣ୍ଟ
ଭୁବନେଶ୍ୱର (ସଂକେତ ଟିଭି): ପିଲାଙ୍କୁ ସରକାରୀ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଏବଂ ସ୍କୁଲ ଛାଡ଼ିବାର ହାର କମ କରିବା ପାଇଁ ଗଣଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି । ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକାରେ ନାମଲେଖା କରାଥିବା ପିଲାମାନଙ୍କୁ ମାଗଣାରେ ୟୁନିଫର୍ମ, ଜୋତା, ମୋଜା ଏବଂ ଟ୍ରାକ୍ପ୍ୟାଣ୍ଟ ପ୍ରଦାନ କରାଯିବ ।
ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଏହି ଉଦ୍ଦେଶ୍ୟରେ ବାଲ୍ ବାଟିକା ଏବଂ ଶିଶୁ ବାଟିକାର ପ୍ରତ୍ୟେକ ପିଲା ପିଛା ହଜାରେ ଟଙ୍କା ଖର୍ଚ୍ଚ ବିଭାଗ ବହନ କରିବ । ରାଜ୍ୟର ପ୍ରାୟ ୪୫ ହଜାର ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା କାର୍ଯ୍ୟକ୍ରମ ଚାଲୁ ଅଛି ।
ଏହି ଯୋଜନା ଅନୁଯାୟୀ, ରାଜ୍ୟର ସମୁଦାୟ ୩ ଲକ୍ଷ ୧୦ ହଜାର ୮୪୯ ଜଣ ପିଲାଙ୍କୁ ମାଗଣା ଯୁନିଫର୍ମ ପ୍ରଦାନ କରାଯିବ । ପ୍ରତ୍ୟେକ ପିଲା ପାଇଁ ହଜାରେ ଟଙ୍କା ଖର୍ଚ୍ଚର ବ୍ୟବସ୍ଥା କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଥିପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରୁଛି ।
ମନ୍ତ୍ରୀ ଗଣ୍ଡ କହିଛନ୍ତି ଯେ ଏପରି ପଦକ୍ଷେପ ଦ୍ଵାରା ପିଲାମାନେ ଖୁସିରେ ବିଦ୍ୟାଳୟ ଯିବେ ଏବଂ ଏହା ଏକ ନିୟମିତ ଅଭ୍ୟାସରେ ପରିଣତ ହେବ । ଫଳସ୍ୱରୂପ, ପିଲାମାନେ ଅକାଳରେ ସ୍କୁଲ ଛାଡ଼ିବାକୁ ଚାହିଁବେ ନାହିଁ ଏବଂ ଡ୍ରପ୍ ଆଉଟ୍ ରୋକିବା ସହିତ ଶିକ୍ଷାର ପ୍ରସାର ବୃଦ୍ଧି ପାଇବ ।