ବଦଳି ହୋଇଥିବା ସ୍ଥାନରେ ଯୋଗ ନଦେଲେ ଅଧିକାରୀଙ୍କ ଦରମା ବନ୍ଦ
ଭୁବନେଶ୍ୱର (ସଂକେତ ଟିଭି): କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ସମସ୍ତ ପଦୋନ୍ନତିପ୍ରାପ୍ତ ଏବଂ ବଦଳି ହୋଇଥିବା ଅଧିକାରୀମାନଙ୍କୁ ବିଳମ୍ବ ନକରି ସେମାନଙ୍କ ନିଯୁକ୍ତ ସ୍ଥାନରେ ଯୋଗଦେବା ପାଇଁ ବିଭାଗ ତରଫରୁ କଠୋର ନିର୍ଦ୍ଦେଶ ଦିଆଯାଇଛି । କୃଷି ସଚିବ ଡ. ଅରବିନ୍ଦ କୁମାର ପାଢୀ ଜାରି କରିଥିବା ଏକ ଆଦେଶନାମାରେ ଏହି ନିର୍ଦ୍ଦେଶ ଦିଆଯାଇଛି ।
ଆଦେଶରେ ସ୍ପଷ୍ଟ କରାଯାଇଛି ଯେ, ଅଗଷ୍ଟ ୩୧, ୨୦୨୫ ମସିହା ପର୍ଯ୍ୟନ୍ତ ନିଯୁକ୍ତ ସ୍ଥାନରେ ଯୋଗ ନଦେଇଥିବା ଅଧିକାରୀମାନେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାୟୀ ରହିବେ । ଏପରି ଅଧିକାରୀମାନଙ୍କର ଦରମା ଆଗାମୀ ସେପ୍ଟେମ୍ବର ମାସରୁ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ଏହି ଆଦେଶରେ ଆହୁରି ମଧ୍ୟ କହାଯାଇଛି ଯେ ପୋଷ୍ଟିଂ ଆଦେଶରେ ପରିବର୍ତ୍ତନ ଆଣିବା ପାଇଁ ବାହ୍ୟ ପ୍ରଭାବ ପକାଇବାର ପ୍ରୟାସକୁ କଠୋର ଭାବରେ ନିଷେଧ କରାଯାଇଛି ଏବଂ ଏଭଳି କାର୍ଯ୍ୟ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିର୍ଦ୍ଦେଶାଳୟ ଏବଂ କ୍ଷେତ୍ର ପ୍ରତିଷ୍ଠାନର ମୁଖ୍ୟମାନଙ୍କୁ ଆଦେଶ ପାଳନ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଏବଂ ଯୋଗଦାନ ନକରୁଥିବା ଅଧିକାରୀଙ୍କ ନାମ ବିଭାଗକୁ ରିପୋର୍ଟ କରିବାକୁ କୁହାଯାଇଛି ।
ତୃଣମୂଳ ସ୍ତରରେ ଥିବା କାର୍ଯ୍ୟାଳୟଗୁଡ଼ିକର କାର୍ଯ୍ୟ ସୁଗମ ଭାବରେ ଚାଲୁରଖିବା ପାଇଁ ଏହି କଠୋର ନିର୍ଦ୍ଦେଶ ଜାରି କରାଯାଇଥିବା ବିଭାଗ ତରଫରୁ ଜଣାଯାଇଛି ।