ସେପ୍ଟେମ୍ବର ୧୮ରେ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟପାଳଙ୍କ ଅନୁମୋଦନ ପରେ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ବିଜ୍ଞପ୍ତି ଜାରି ହୋଇଛି। ଏହି ଅଧିବେଶନ ଆସନ୍ତା ୧୮ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୨୫ ସେପ୍ଟେମ୍ବର ଯାଏଁ ଚାଲିବ। ଏଥିରେ ମୋଟ ୭ଟି କାର୍ଯ୍ୟ ଦିବସ ରହିଛି। ସାଧାରଣତଃ ଜୁଲାଇ-ଅଗଷ୍ଟ ମାସରେ ଅନୁଷ୍ଠିତ ହେଉଥିବା ମୌସୁମୀ ଅଧିବେଶନ ଏଥର ବିଳମ୍ବିତ ହୋଇଛି।
ଏହି ସ୍ୱଳ୍ପକାଳୀନ ଅଧିବେଶନ ବେଶି ସରଗରମ ରହିବ ବୋଲି ଅନୁମାନ କରାଯାଉଛି। ବିରୋଧୀ ଦଳଗୁଡ଼ିକ ରାଜ୍ୟର ବିଭିନ୍ନ ଜରୁରୀ ପ୍ରସଙ୍ଗ ଉପରେ ସରକାରଙ୍କୁ ଘେରିବେ ବୋଲି କହିଛନ୍ତି। ବିଜେଡିଙ୍କ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ଚାଷୀଙ୍କ ଅବସ୍ଥା, ମହିଳା ନିର୍ଯାତନା, ଗୁଣ୍ଡାରାଜ, ମେଟ୍ରୋ ପ୍ରକଳ୍ପ ବନ୍ଦ ହେବା, ଏଫଏମ୍ କଲେଜ ଛାତ୍ର ମୃତ୍ୟୁ, ବଳଙ୍ଗା ଛାତ୍ର ପୋଡ଼ି, ଗୋପାଳପୁର ଗଣଦୁଷ୍କର୍ମ, ମହାନଦୀ ଜଳ ବିବାଦ ଏବଂ OTET ପ୍ରଶ୍ନପତ୍ର ଲିକ୍ ଭଳି ମୁଦ୍ଦାମାନଙ୍କୁ ଦଳ ଉଠାଇବ।
ଅନ୍ୟପକ୍ଷରେ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଓ ବିଧାୟକ ତାରା ପ୍ରସାଦ ବାହିନିପତି ଆରୋପ କରିଛନ୍ତି ଯେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା, ଛାତ୍ରଛାତ୍ରୀଙ୍କ ନିରାପତ୍ତା ନଥିବା, ଚାଷୀ, ସଂଖ୍ୟାଲଘୁ ଓ ଆଦିବାସୀଙ୍କ ଅବହେଳା ଭଳି ବିଷୟଗୁଡିକୁ ନେଇ ସରକାର ଭୟରେ ବିଧାନସଭା ଡାକୁ ନଥିଲେ। ସେମାନେ ମଧ୍ୟ ନାରୀ ନିର୍ଯାତନା, ଭୋଟ୍ ଚୋରି ଓ ଅନାସ୍ଥା ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି।
ଏହି ସମ୍ପର୍କରେ ସରକାରୀ ଦଳର ଉପ-ମୁଖ୍ୟ ସଚେତକ ଗୋବିନ୍ଦ ଦାସ କହିଛନ୍ତି ଯେ ବିରୋଧୀମାନେ ଯେକୌଣସି ପ୍ରସଙ୍ଗ ଉଠାଇଲେ, ସେଥିପାଇଁ ସରକାର ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି ଏବଂ ଉପଯୁକ୍ତ ଜବାବ ଦେବେ। ଏହି ଅଧିବେଶନରେ ୧୯ ସେପ୍ଟେମ୍ବରରେ ପ୍ରାଇଭେଟ୍ ମେମ୍ବର ବିଲ୍ ଆସିବାର ଯୋଜନା ରହିଛି।
