EducationFeaturedLatestNews

ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ବୋର୍ଡ ମିଶି ଗଠିତ ହେବ ଗୋଟିଏ ବୋର୍ଡ

ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟର ମାଧ୍ୟମିକ ଶିକ୍ଷା ପରିଷଦ (BSE) ଏବଂ କାଉନ୍ସିଲ୍ ଫର୍ ହାଇୟର ସେକେଣ୍ଡାରି ଏଜୁକେସନ୍ (CHSE)କୁ ମିଶାଇ ଗୋଟିଏ ବୋର୍ଡ ଗଠନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ନୂତନ ଶିକ୍ଷାନୀତିର ପରାମର୍ଶ ଅନୁସାରେ ଏହି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ଗୋଟିଏ ବୋର୍ଡ ଗଠିତ ହେଲେ ଏହା ନୂତନ ବୋର୍ଡର ନିୟମ ଆଧାରରେ କାର୍ଯ୍ୟକରିବ ଏବଂ ସେହି ନିୟମ ଅନୁଯାୟୀ କର୍ମଚାରୀମାନେ ରହିବେ। ଏହି ବୋର୍ଡର କାର୍ଯ୍ୟାଳୟ କଟକରେ ନା ଭୁବନେଶ୍ୱରରେ ହେବ, ତାହା ଆଗାମୀ ଦିନଗୁଡିକରେ ନିଷ୍ପତ୍ତି ନିଆଯିବ।

ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ, ସ୍କିମାଟିକ ପ୍ରାଥମିକ ଶିକ୍ଷକମାନଙ୍କୁ ନିୟମିତ କରାଯିବ ଏବଂ ଖାଲି ରହିଥିବା ସମସ୍ତ ଶିକ୍ଷକ ପଦବୀ ପୂରଣ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଉଚ୍ଚସ୍ତରୀୟ ଆଲୋଚନାରେ ପ୍ରତିବର୍ଷ ୧୫,୦୦୦ ଶିକ୍ଷକ ନିଯୁକ୍ତି ଦେଇ ଆସନ୍ତା ୩ ବର୍ଷ ମଧ୍ୟରେ ୪୪,୪୩୩ ଟି ଖାଲି ପଦବୀ ପୂରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ପୁଣି, ରାଜ୍ୟର ୪୫,୦୦୦ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ସେବିକା ନିଯୁକ୍ତି କରାଯିବ।

ସରକାରୀ ଓ ସରକାରୋପାଧୀକୃତ (ଆଡେଡ଼) ବିଦ୍ୟାଳୟଗୁଡ଼ିକରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ବହି ମାଗଣାରେ ଦିଆଯିବ। ଏଥିସହ, ହଷ୍ଟେଲରେ ରହୁଥିବା ପିଲାମାନଙ୍କ ସ୍ୱାସ୍ଥ୍ୟ ସେବା ନିଶ୍ଚିତ କରିବାକୁ ପ୍ରତ୍ୟେକ ୩୦୦ ପିଲା ପାଇଁ ଜଣେ ଆଏନ୍‌ଏମ୍ (ANM) ନିଯୁକ୍ତି ଦିଆଯିବ। ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ମିଶି ଏହି ବ୍ୟବସ୍ଥା କରିବେ।

ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନିଜେ ଜଣେ ଶିକ୍ଷକ ଥିବାରୁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି। ସରକାର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି ସମସ୍ତ କାର୍ଯ୍ୟ ସମ୍ପାଦନ କରିବାକୁ ତତ୍ପର ଅଛନ୍ତି।